ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ଇତିହାସ ସହିତ ଜଡିତ ପ୍ରତୀକ ଉପରେ ଆକ୍ରମଣ । ବୁଧବାର ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ପାକିସ୍ତାନ ହାଇକମିସନର କାର୍ଯ୍ୟାଳୟ ଘେରିଲା ଦିଲ୍ଲୀ ବିଜେପି ।
ପାକିସ୍ତାନରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଆଜି ଦିଲ୍ଲୀ ବିଜେପି ପକ୍ଷରୁ ପାକିସ୍ତାନ ହାଇକମିସନର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦୃଢ ପ୍ରତିବାଦ କରିଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା କହିଛନ୍ତି । ସୂଚନାଥାଉକି ଲାହୋର କିଲାରେ ନିର୍ମିତ ମହାରାଜା ରଣଜିତ ସିଂହଙ୍କ ପ୍ରତିମାର ଉନ୍ମୋଚନ ଜୁନ ୨୦୧୯ରେ କରାଯାଇଥିଲା । ସେତେବେଳଠୁ ନେଇ ଆଜିଯାଏଁ ଏହି ମୂର୍ତ୍ତି ଭଙ୍ଗାରୁଜାର ଏହା ତୃତୀୟ ଘଟଣା । ମୂର୍ତ୍ତି ଭଙ୍ଗାରୁଜା ସମୟରେ ଜଣେ ବ୍ୟକ୍ତି ନାରା ଦେଉଥିବା କୁହାଯାଉଛି ।
ଯେତେବେଳେ ବ୍ୟକ୍ତି ଜଣକ ମୂର୍ତ୍ତିକୁ ଭାଙ୍ଗୁଛି, ସେତେବେଳେ ଆହୁରି କିଛି ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।ମୂର୍ତ୍ତି ଭାଙ୍ଗିଥିବା ବ୍ୟକ୍ତି ତେହରିକ-ଏ-ଲବ୍ବେକ ପାକିସ୍ତାନ(TLP) ସଦସ୍ୟ ବୋଲି ଜଣାପଡିଛି । ତେହରିକ-ଏ-ଲବ୍ବେକ ପାକିସ୍ତାନ ତଥା ଟିଏଲପି ହେଉଛି ପାକିସ୍ତାନର ଏକ ରାଜନୈତିକ ଦଳ । ଏହା କଠୋର ଇସଲାମିକ ଦଳ ଭାବରେ ପରିଚିତ ।
ସୂଚନାଥାଉକି ୧୮୩୯ରେ ଶିଖ ଶାସକ ମହାରାଜା ରଣଜୀତ ସିଂହଙ୍କ ଲାହୋରରେ ନିଧନ ହୋଇଥିଲା । ଏହି ସମୟରେ ଭାରତର ଅଂଶ ଥିଲା ଲାହୋର । ତାଙ୍କ ସ୍ମୃତିରେ ଏହି ମୂର୍ତ୍ତିକୁ ଲାହୋର ଦୁର୍ଗ ତଥା ସାହୀ କିଲାରେ ନିର୍ମାଣ କରାଯାଇଥିଲା । ଜୁନ ୨୦୧୯ରେ ଏହି ମୂର୍ତ୍ତି ଉନ୍ମୋଚନ ହୋଇଥିଲା ।
@ANI