ନୂଆଦିଲ୍ଲୀ: ବିବାଦର ପରିସୀମାରୁ ବାହାରି ପାରୁନାହାନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆରଏସଏସ ବିରୋଧରେ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ପୁଣି ହରିଦ୍ବାର କୋର୍ଟରେ ଏକ ମାନହାନୀ ମାମଲା ରୁଜୁ କରିଛନ୍ତି ଜଣେ ସ୍ବଂୟ ସେବକ । ଭାରତ ଯୋଡୋ ଯାତ୍ରା ସମୟରେ ହରିୟାଣାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ ଏହି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ସ୍ବୟ ସଂଘ ଏକବିଶଂ ଶତାଦ୍ଦୀର କୌରବ ବୋଲି ରାହୁଲ କହିଥିବା ଅଭିଯୋଗରେ ମାମଲା ଦାଏର ହୋଇଛି ।
ଭାରତ ଯୋଡୋ ଯାତ୍ରା ହରିୟାଣାରେ ଥିବା ସମୟରେ ରାହୁଲ ଏହି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ରାହୁଲ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସଂଘକୁ କୌରବମାନଙ୍କ ସହ ତୁଳନା କରିଥିଲେ । ଏକବିଂଶ ଶତାବ୍ଦୀରେ ଖାକି ଓ ହାଫ ପ୍ୟାଣ୍ଟ ପିନ୍ଧି ଶାଖା ଚଳାଉଥିବା ସଂଘ ହିଁ କୌରବ ବୋଲି କହିଥିଲେ ରାହୁଲ । ସେହିପରି ଏହି ସଂଘ ପଛରେ ଦୁଇରୁ ତିନିଜଣ ବିତ୍ତଶାଳୀ ବ୍ୟକ୍ତିଙ୍କ ସହଯୋଗ ମଧ୍ୟ ରହିଥିବା ରାହୁଲ କହିଥିଲେ । ତେବେ ଏହି ମାମଲାର ଶୁଣାଣି 12 ତାରିଖରେ ହେବା ନେଇ ତାରିଖ ସ୍ଥିର ହୋଇଛି । ଆରଏସଏସ କର୍ମୀଙ୍କ ପକ୍ଷରୁ କରାଯାଇଥିବା ଏହି ମାମଲାରେ ତାଙ୍କ ଓକିଲ କହିଛନ୍ତି, ଭାରତୀୟ ସମ୍ବିଧାନର ଧାରା 499 ଓ ଆଇପିସିର 500 ଧାରା ଅନୁସାରେ ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ କୋର୍ଟରେ ମାମଲା କରାଯାଇଛି ।
ଏବେ ଏବେ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଦୋଷୀ ସାବ୍ୟସ୍ତ ହେବା ସହ ସାଂସଦ ପଦରୁ ବରଖାସ୍ତ ହୋଇଛନ୍ତି । କର୍ଣ୍ଣାଟକରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଦେଶରେ ସବୁ ଚୋରଙ୍କ ନାମ କାହିଁକି ମୋଦି ବୋଲି ପ୍ରଶ୍ନ କରିଥିଲେ ରାହୁଲ । ଯାହା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 4 ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଗୁଜୁରାଟର ଏକ ସ୍ଥାନୀୟ କୋର୍ଟ । ପରେ ଅବଶ୍ଯ ତାଙ୍କୁ ଜାମିନ ମିଳିଯାଇଥିଲେ ସୁଦ୍ଧା ସଂସଦୀୟ ପରମ୍ପରା ଅନୁସାରେ, ଦୋଷୀ ସାବ୍ୟସ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ସାଂସଦ ପଦରୁ ବରଖାସ୍ତ କରାଯାଇଥିଲା । ଏହାକୁ ନେଇ କଂଗ୍ରେସ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଦଳ ପ୍ରତିବାଦ କରୁଥିବା ବେଳେ, ଏବେ ପୁଣି ତାଙ୍କ ବିରୋଧରେ ଆଉ ଏକ ମାମଲା ଦାଏର ହୋଇଛି । ଏହି ମାମଲାରେ ମଧ୍ୟ ରାହୁଲ ତଦନ୍ତର ସାମ୍ନା କରିପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ