ମୁମ୍ବାଇ: ରାଜନୀତି ମୋଡ ନେଇଛି ହାଇପ୍ରୋଫାଇଲ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ଆର୍ଯ୍ୟନ ଖାନ କେସରେ ସମୀର ୱାଙ୍ଖଡେଙ୍କ ତଦନ୍ତ ଏବେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନାଭିସ ଏବଂ ଏନସିପି ନେତା ନୱାବ ମଲିକଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କରିଛି । ନୱାବ 'ହାଇଡ୍ରୋଜେନ ବମ୍' ପକାଇ ଖୁଲାସା କରିବା କଥା ଫୁଲଝରୀ ଠାରୁ ବି କମ୍ ବୋଲି ବିଜେପି କଟାକ୍ଷ କରିଛି ।
ତେବେ ଦେବେନ୍ଦ୍ର ଫଡନାଭିସଙ୍କ ନାମରେ ନୱାବ ଆଣିଥିବା ଅଭିଯୋଗର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁଁ ଘୁଷୁରି ସହ ଲଢିବାକୁ ଚାହୁଁନାହିଁ । ବହୁତ ଆଗରୁ ମୁଁ ଜାଣିଛି ଘୁଷୁରି ସହ କେବେ ଲଢିବା ଉଚିତ୍ ନୁହେଁ । କାରଣ ଘୁଷୁରି ସହ ଲଢିବାକୁ ହେଲେ ଆବର୍ଜନାରେ ଘାଣ୍ଟି ହେବାକୁ ପଡିବ । କିନ୍ତୁ ଘୁଷୁରିକୁ ତ ଆବର୍ଜନା ପସନ୍ଦ ।
ଏହା ମଧ୍ୟ ପଢନ୍ତୁ:- 'ହାଇଡ୍ରୋଜେନ ବମ୍' ପକାଇ ଗୁମର ଖୋଲିଲେ ନୱାବ, କହିଲେ ଦାଉଦ ସହ ଅଛି ଫଡନାଭିସଙ୍କ ସମ୍ପର୍କ
ସେହିପରି ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଶିଷ ଶେଲାର ମଧ୍ୟ ଫଡନାଭିସଙ୍କ ସପକ୍ଷରେ ବାହାରିଛନ୍ତି । ମଲିକ ଫଡନାଭିସଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଶେଲାର । ମଲିକଙ୍କ 'ହାଇଡ୍ରୋଜେନ୍ ବୋମା' ପକାଇବା ଦାବି ପରେ ଶେଲାର ବୁଧବାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, 'ହାଇଡ୍ରୋଜେନ୍ ବୋମା' ଭୁଲିଯାଅ, ନୱାବ ମଲିକଙ୍କୁ ଅମ୍ଳଜାନ ଦରକାର ହେବ । ଦେବେନ୍ଦ୍ର ଫଡନାଭିସଙ୍କୁ ଦୋଷାରୋପ କରିବାକୁ ମଲିକଙ୍କ ଉଦ୍ୟମ ବୀରବଲଙ୍କ କାହାଣୀରେ ରନ୍ଧା ହୋଇନଥିବା ବିରିୟାନି ପରି ବୋଲି ଶେଲାର କଟାକ୍ଷ କରିଛନ୍ତି ।
ସୂଚନା ଅନୁଯାୟୀ ଗତକାଲି(ବୁଧବାର) ନୱାବ ମଲିକ ଡ୍ରଗ୍ସ କେସରୁ ଗତି ବଦଳାଇ ପଲିଟିକାଲ ଆଟାକ୍ କରିଥିଲେ । ସେ କହିଥିଲେ ଯେ, ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ କଳା ଟଙ୍କା କାରବାର ଚାଲିଥିଲା । ସେତେବେଳେ ତାଙ୍କୁ ସମୀର ୱାଙ୍ଖଡେ ସାହାଯ୍ୟ କରୁଥିଲେ । ତେଣୁ ସେ ଏବେ ୱାଙ୍ଖଡେଙ୍କୁ ସାହାଯ୍ୟ କରୁଛନ୍ତି । ଏଥିସହ ଦାଉଦ ଇବ୍ରାହିମ ପାଖ ଲୋକ ସହ ମଧ୍ୟ ଫଡନାଭିସଙ୍କ ଯୋଗାଯୋଗ ଥିବା ସେ ଅଭିଯୋଗ କରିଥିଲେ ।