ହାଇଦ୍ରାବାଦ: ରାଜା ରାମ ମୋହନ ରାୟଙ୍କୁ ଆଧୁନିକ ଭାରତର ଜନକ କୁହାଯାଏ । ଆଜି ତାଙ୍କ ଶ୍ରାଦ୍ଧ ଦିବସ । ରାଜା ରାମ ମୋହନ ରାୟ ଏକେଶ୍ବରବାଦର ସମର୍ଥକ । ଅତି ଅଳ୍ପ ବୟସରୁ ସେ ମୂର୍ତ୍ତି ପୂଜାକୁ ବିରୋଧ କରି ଅସୁଥିଲେ । ତାଙ୍କ ପିତା ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ ମଧ୍ୟ ଏହାର ପ୍ରଭାବ ରାମ ମୋହନ ଉପରେ ସେତେଟା ପଡ଼ିନଥିଲା । ପିଲା ବେଳରୁ ହିଁ ତାଙ୍କର ନିଜ ପିତାଙ୍କ ସହ ଧର୍ମ ଉପରେ ବିଭିନ୍ନ ତର୍କ ଲାଗି ରହୁଥିଲା । ଅତି କମ ବୟସରୁ ସେ ଘର ତ୍ୟାଗ କରି ହିମାଳୟ ଓ ତିବ୍ବତ ଚାଲିଯାଇଥିଲେ । ତାଙ୍କର ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ତାଙ୍କ ପିତା ମାତା ତାଙ୍କୁ ବିବାହ କରି ଦେଇଥିଲେ । ଏହା ପରେ ବି ରାମ ମୋହନ ହିନ୍ଦୁ ଧର୍ମ ବିଷୟରେ ଅଧିକ ଅଧ୍ୟୟନ ଜାରି ରଖିଥିଲେ। ବେଦ ଉପନିଷଦକୁ ସେ ଗଭୀରତାର ସହ ପଢିଥିଲେ ।
ରାମମୋହନଙ୍କ ଜନ୍ମ ୧୭୭୨ ମସିହା ମେ ମାସ ୨୨ ତାରିଖରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ରାଧାନଗର ଗାଁର ଏକ ବାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ରମାକାନ୍ତ ରାୟ ଓ ମାତାଙ୍କ ନାମ ତାରିଣୀ ଦେବୀ । ସେ ମାତ୍ର ୧୫ ବର୍ଷ ବୟସ ଭିତରେ ବଙ୍ଗାଳି, ଆରବୀ, ପାର୍ସୀ ତଥା ସଂସ୍କୃତ ସାହିତ୍ୟରେ ପାରଦର୍ଶୀତା ଲାଭ କରିଥିଲେ । ବେଦ, ଉପନିଷଦ, କୋରାନ୍, ବାଇବେଲ, ଜେଦ୍ଦାୟଭେସ୍ତା, ବୌଦ୍ଧ ଗ୍ରନ୍ଥ ଆଦି ସେ ଅଧ୍ୟୟନ କରିଥିଲେ । କିଶୋର ଅବସ୍ଥାରେ ସେ ବହୁ ଭ୍ରମଣ କରିବା ସହ ୧୮୦୯ ମସିହାରୁ ୧୮୧୪ ମସିହା ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ କାମ କରିଥିଲେ । ବିଦେଶ ଭ୍ରମଣ ଭାବେ ସେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟ ଯାଇଥିଲେ । ସେ ମଧ୍ୟ ଥିଲେ 'ବ୍ରହ୍ମ ସମାଜ' ର ପ୍ରତିଷ୍ଠାତା । ନିଜ ଜୀବନ କାଳ ଭିତରେ ସେ ସର୍ବଦା ପୁରୁଷଙ୍କ ସହ ମହିଳା ମାନଙ୍କ ସମାନ ଅଧିକାରକୁ ସମର୍ଥନ କରିଥିଲେ ।
ତେବେ ଜଣେ ସମାଜ ସଂସ୍କାରକ ଭାବରେ ରାମମୋହନଙ୍କ ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ ଥିଲା । ସେ ସମୟରେ ସମାଜରେ ପ୍ରଚଳିତ ସତୀଦାହ ପ୍ରଥାର ବିରୋଧ କରିବା ସହ ବିଧବା ପୁନଃ ବିବାହ ଆଇନକୁ ସମର୍ଥନ କରିଥିଲେ । ଭାରତରେ ମୂଲ୍ୟହୀନ ଓ ଅସାମାଜିକ ପରମ୍ପରାଗୁଡ଼ିକ ଉଛେଦ ବା ଅଗ୍ରାହ୍ୟ କରିବାକୁ ସେ ବିଟ୍ରିଶ ସରକାରଙ୍କର ସାହାଯ୍ୟ ନେଇଥିଲେ। ତାଙ୍କ ଚେଷ୍ଟାରେ ୧୮୨୯ରେ ସତିଦାହ ପ୍ରଥା ଉଛେଦ ହେଲା। ତାଙ୍କ ମତରେ ସମସ୍ତ ମନୁଷ୍ୟ ଏକ ଇଶ୍ବରଙ୍କ ସନ୍ତାନ। ସେ ନାରୀ ସ୍ବାଧିନତା ଏବଂ ନାରୀଶିକ୍ଷା ଉପରେ ଗୁରୁତ୍ବ ଦେଉଥିଲେ। ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥା ଉଚ୍ଛେଦ କରିଥିଲେ ସେ ।
ରାଜନୈତିକ,ସାମାଜିକ ଓ ଧର୍ମକ୍ଷେତ୍ରରେ ରାମମୋହନ ବହୁବିଧ ସଂସ୍କାର ଆଣିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ରାମମୋହନ ବିଶ୍ବାସ କରିଥିଲେ ଯେ, ଭାରତ ପ୍ରତି ବ୍ରିଟିଶ ଶାସନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅଛି। ତାଙ୍କ ମତରେ ସେହି ଲକ୍ଷ୍ୟ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଭାରତରେ ରହନ୍ତୁ । ସ୍ବାଧୀନ ମନୋଭାବ ପୋଷଣ କରିବାକୁ ସେ ଭାରତୀୟମାନଙ୍କୁ ଉପଦେଶ ଦେଇଥିଲେ।
ରାମ ମୋହନ ୧୮୨୮ ମସିହାରେ 'ବ୍ରହ୍ମ ସମାଜ'ର ପ୍ରତିଷ୍ଠା କରିଥିଲେ । ଯାହାକି ଭାରତର ସାମାଜିକ ସାଂସ୍କୃତିକ ଆନ୍ଦୋଳନ ମାନଙ୍କରୁ ଅନ୍ୟତମ । ଖାଲି ସେତିକି ନୁହେଁ ଭାରତର ସ୍ବାଧୀନତା ଆନ୍ଦୋଳନ ଓ ସାମ୍ବାଦିକ କ୍ଷେତ୍ରକୁ ସେ ଏକ ନୂଆ ଦିଗ ଦର୍ଶନ ଦେଇଥିଲେ । ଏହାବାଦ ତାଙ୍କ ଦୂରଦର୍ଶୀ ଗୁଣ ଇତିହାସରେ ଲିପିବଦ୍ଧ ହୋଇ ରହିବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି । ଇଷ୍ଟ ଇଣ୍ଡିଆ କମ୍ପାନୀ ଚାକିରୀ ଛାଡି ନିଜକୁ ଦେଶ ସେବା କ୍ଷେତ୍ରରେ ନିୟୋଜିତ ରଖିଥିଲେ । ଏହା ବାଦ ସମାଜରୁ ଅନ୍ଧବିଶ୍ବାସକୁ ଉଠାଇବା ପାଇଁ ମଧ୍ୟ ସେ ବହୁ ପ୍ରୟାସ କରିଥିଲେ । ବାଲ୍ୟ ବିବାହ, ସତୀ ପ୍ରଥା, ଜାତିବାଦ, କର୍ମକାଣ୍ଡ ପରି କୁପ୍ରଥା ଗୁଡିକର ସେ ଦୃଢ ବିରୋଧ କରିଥିଲେ । ମାତ୍ର ୬୧ ବର୍ଷ ବୟସରେ ୧୮୩୩ ମସିହା ସେପ୍ଟେମ୍ବର ମାସ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅବିରତ ଚେଷ୍ଟା ଓ ଅସାଧାରଣ କାମ ଭାରତକୁ ଏକ ନୂଆ ପରିଚୟ ଦେଇପାରିବା ସହ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଇଥିଲା । ସେଥିପାଇଁ ତ ତାଙ୍କୁ ଆଧୁନିକ ଭାରତର ଜନକ କୁହାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ