ନୂଆଦିଲ୍ଲୀ: ବୃଦ୍ଧଙ୍କ ଅନ୍ତିମ ସଂସ୍କାର ସମୟରେ ଦିଲ୍ଲୀ ଟିକରି ଖୁର୍ଦ ଅଞ୍ଚଳରେ ହଠାତ୍ ହତବାକ୍ ହୋଇଗଲେ ଉପସ୍ଥିତ ଲୋକେ । କାରଣ ଘଟଣା ସେମିତି କିଛି ଘଟିଥିଲା ଯାହାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିନଥିଲେ ବନ୍ଧୁ ପରିଜନ । ବୃଦ୍ଧଙ୍କ ଅନ୍ତିମ ସଂସ୍କାରର ଠିକ ଗୋଟିଏ ମିନିଟ ପୂର୍ବରୁ ଆଖି ଖୋଲିଥିଲା ବୃଦ୍ଧଙ୍କ ମୃତଦେହ । ଆଉ କିଛି ଗୁଣୁ ଗୁଣାଇଥିଲା ମଧ୍ୟ । ଏହାପରେ ପରିବାର ଲୋକେ ତାଙ୍କୁ ପୋଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେ ଜୀବିତ ଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳର ସତିଶ ଭରଦ୍ବାଜ ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହି ବୃଦ୍ଧଙ୍କୁ ପ୍ରାୟ ୧୧ ଜଣ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଶ୍ମଶାନଘାଟକୁ ନେଇଥିଲେ । ପ୍ରାୟ ୩ଟା ସମୟରେ ଅନ୍ତିମ ସଂସ୍କାର ପୂର୍ବରୁ ଯେତେବେଳେ ପରିବାର ଲୋକେ ବୃଦ୍ଧଙ୍କ ମୁହଁରେ ଗଙ୍ଗାଜଳ ଦେଇଥିଲେ । ଠିକ୍ ସେତିକି ବେଳେ ବୃଦ୍ଧ ଜଣକ ଆଖି ଖୋଲିବା ସହିତ କିଛି କହିଥିଲେ ।
ଏହା ବି ପଢନ୍ତୁ: Goa Detects First Omicron Case: ବ୍ରିଟେନ ଫେରନ୍ତା ବାଳକକୁ ଓମିକ୍ରନ
ଏପରି ଘଟଣା ଘଟିବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଦିଲ୍ଲୀ ପୋଲିସକୁ ଖବର ଦେଇ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଏହି ବୃଦ୍ଧ ବ୍ୟକ୍ତି ଜଣକ ନାରେଲା ନିକଟସ୍ଥ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ବୃଦ୍ଧଙ୍କ ରକ୍ତଚାପ, ହାର୍ଟବିଟ୍, ପଲ୍ସ ଆଦି ସବୁ ସ୍ବାଭାବିକ ରହିଛି । ବୃଦ୍ଧ ଜୀବିତ ଥିବା ଡାକ୍ତର କହିଛନ୍ତି । ସେପଟେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ