ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଜାରି ରହିଛି ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନର ମତ ଗଣନା । ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରା । ଗତ ମାସରେ ଆତଙ୍କବାଦୀ ଲିଙ୍କ୍ ମାମଲାରେ ପର୍ରାଙ୍କୁ ଗିରଫ କରିଥିଲା ଏନଆଇଏ ।
ଡିଡିସି ନିର୍ବାଚନରେ ବିଜେପି ପ୍ରାର୍ଥୀ ସଜଦ ଅହମଦ ରାଇନା ଓ ଅପନୀପାର୍ଟିର ଗୁଲାମ ହୁସେନ ମିରଙ୍କୁ ପରାସ୍ତ କରି ବିଜୟ ହାସଲ କରହିଛନ୍ତି ୱାହିଦ ପର୍ରା । ଏହା ତାଙ୍କ ରାଜନୀତି ଜୀବନରେ ପ୍ରଥମ ବିଜୟ ।
ନଭେମ୍ବର 25ରେ ପିଡିପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ ଗିରଫ କରିଥିଲା ଜାତୀୟ ସୁରକ୍ଷା ଏଜେନ୍ସି (NIA) । ଦୁଇ ଦିନର ଜେରା ପରେ ପର୍ରାକୁ ଗିରଫ କରିଥିଲା ଏନଆଇଏ । ଏହାର ଗୋଟିଏ ଦିନ ପରେ ସେ ଡିଡିସି ନିର୍ବାଚନ ପାଇଁ ଦକ୍ଷିଣ କାଶ୍ମୀରର ପୁଲୱାମାରୁ ନାମାଙ୍କନପତ୍ର ଦାଖଲକରିଥିଲେ । ବର୍ତ୍ତମାନ ସେ ଜମ୍ମୁ କାଶ୍ମୀରର ଅମ୍ଫାଲ୍ଲା ଜେଲରେ ଅଛନ୍ତି ।
ଏନଆଇଏ ସୂତ୍ର ଅନୁଯାୟୀ, ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆତଙ୍କବାଦୀ ଆକ୍ରମଣ ଲିଙ୍କ୍ ଘଟଣାରେ ପର୍ରାଙ୍କୁ ଗିରଫ କରାଯାଇଥିଲା । ତେବେ ପର୍ରା ପିଡିପି ଅଧ୍ୟକ୍ଷ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବେଶ ନିକଟତର ।
ୱାହିଦ ପର୍ରାଙ୍କ ବିଜୟରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ସେ ଲେଖିଛନ୍ତି, ନାମାଙ୍କନ ଦାଖଲ କରିବା ପରେ ଏକ ଭିତ୍ତିହୀନ ମାମଲାରେ ପର୍ରାଙ୍କୁ ଗିରଫ ସତ୍ତ୍ବେ ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ତେବେ ଖୁବଶୀଘ୍ର ନ୍ୟାୟ ହେବ ବୋଲି କହିଛନ୍ତି ମେହବୁବା ।
ଶ୍ରୀନଗରରୁ ସାମିୟା ଲତିଫ, ଇଟିଭି ଭାରତ