ପାଟନା: ଛଟ୍ ପୂଜା ପାଇଁ ପ୍ରସାଦ ତିଆରି ସମୟରେ ବଡ ଅଘଟଣ । ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର(Cylinder blast During making Chhath Prasad) । ଆଜି ବଡି ଭୋର୍ ସମୟରେ ବିହାର ଔରଙ୍ଗାବାଦରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେକ ପୋଲିସ କର୍ମୀ ଥିବା ମଧ୍ୟ ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଔରଙ୍ଗାବାଦ ସାହେବଗଞ୍ଜ ଅଞ୍ଚଳରେ ଆଜି ସକାଳ ୩ଟା ସମୟରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣା ଯାଇଥିଲା । ଛଟ ପୂଜା ପାଇଁ ପ୍ରସାଦ ରୋଷେଇ କରୁଥିବା ଜଣେ ଶ୍ରଦ୍ଧାଳୁଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା(Cylinder blast in Aurangabad) । ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଆଖପାଖର କେତେକ ଲୋକଙ୍କ ସମେତ ପୋଲିସ କର୍ମୀ ଆହତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଟେକଅଫ୍ ପୂର୍ବରୁ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ସକାଳେ ଅନିଲ ଗୋସ୍ବାମୀଙ୍କ ଘରେ ଛଟ୍ ପୂଜା ଆୟୋଜନ ହେଉଥିଲା । ତାଙ୍କର ପରିବାର ସଦସ୍ୟମାନେ ପ୍ରସାଦ ତିଆରିରେ ଲାଗି ପଡିଥିଲେ । ସେହି ସମୟରେ ଗ୍ୟାସ୍ ଲିକ୍ ହୋଇ ଘରେ ନିଆଁ ଲଗାଯାଇଥିଲା । ଏହା ଦେଖି ଆଖପାଖର ଲୋକେ ଧାଇଁ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଓ ଦମକଳ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାରେ ଲାଗି ପଡିଥିଲେ । ଏତିକି ବେଳେ ଅଚାନକ ଘରର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି । ୨୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତମାନଙ୍କୁ ଔରଙ୍ଗାବାଦ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।