ଭୁବନେଶ୍ବର: ବାତ୍ୟା ୟସରେ ଓଡିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାତ୍ୟାର ସ୍ଥିତି ଓ ସାମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅବଗତ କରିବା ସହ ବାତ୍ୟା ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ର ସରକାର ଏହି ବିପତ୍ତି ସମୟରେ ଓଡିଶା ସହ ଅଛନ୍ତି ଓ ସମସ୍ତ ପ୍ରକାର ସହାୟତା ସହ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଟୁଇଟର ଯୋଗେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କତା ସୂଚନାକୁ ମାନନ୍ତୁ । ଆମେ ଏହି ବାତ୍ୟା ଓ ବର୍ଷାକୁ ସାହସର ସହିତ ମୁକାବିଲା କରିବା । ବାତ୍ୟା ‘ୟସ’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଟ୍ବିଟ କରିଛନ୍ତି ଧର୍ମେନ୍ଦ୍ର ।
ସେପଟେ ସାମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନ ଜାରି କରିଥିବା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଆସୁଥିବା ପ୍ରାକୃତିକ ବିପର୍ଯ୍ୟକୁ ସାହାସର ସହିତ ମୁକାବିଲା କରିବା ପାଇଁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ