ପ୍ରଶ୍ନ ୧- ବର୍ତ୍ତମାନ ଆମେରିକାରେ ସ୍ଥିତି କ’ଣ ?
ଉତ୍ତର - ଆମେରିକା ବର୍ତ୍ତମାନ ଦୁଇ ଗୋଷ୍ଠୀରେ ବିଭକ୍ତ । ଡେମୋକ୍ରାଟିକ ଓ ରିପବ୍ଲିକାନ ଭୋଟରଙ୍କ ମଧ୍ୟରେ ବ୍ୟବଧାନ ଲମ୍ବା ହେବାରେ ଲାଗିଛି । ରାଜନୈତିକ ବିଭାଜନ ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ବୈଚାରିକ ମତଭେଦଠାରୁ ବି ଅଧିକ ହୋଇଛି ।
ଡେମୋକ୍ରାଟମାନେ ହେଲେ ଶିକ୍ଷିତ ହ୍ୱାଇଟ କଲାର ୱାର୍କର । ସରକାର ସମାଜରେ ଥିବା ଅସମାନତା, ଅନ୍ୟାୟ ପରିବେଶ ପ୍ରସଙ୍ଗ, ଆନ୍ତର୍ଜାତିକ ସହାୟତା ବଳି ପ୍ରସଙ୍ଗରେ ସରକାରଙ୍କ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସେମାନେ ବିଶ୍ୱାସ କରନ୍ତି । ଅନେକ ପରିଚୟ ରାଜନୀତିରେ ବି ଗୁରୁତ୍ୱାରୋପ କରନ୍ତି । ସେମାନେ ଧର୍ମନିରପେକ୍ଷତା, ବିଭିନ୍ନ ଜୀବନଶୈଳୀ ପ୍ରତି ସହିଷ୍ଣୁତା, ବନ୍ଧୁକ ନିୟନ୍ତ୍ରଣ ଆଇନକୁ ସମର୍ଥନ କରନ୍ତି । ନ୍ୟାସନାବ ପବ୍ଲିକ ରେଡିଓ ଶୁଣିବା ଉପରେ ବି ଜୋର୍ ଦିଅନ୍ତି । ଅନେକ ଡେମୋକ୍ରାଟ ଗିଭ୍ ଆଣ୍ଡ୍ ଟେକ୍ ପଲିଟିକିକ୍ସରେ ବିଶ୍ୱାସ ରଖନ୍ତି । ଆଇନର ଶାସନ,ରାଜନୈତିକ ପ୍ରକ୍ରିୟା ଓ ସମ୍ବିଧାନରେ ବି ଡେମୋକ୍ରାଟମାନେ ବିଶ୍ୱାସ ରଖନ୍ତି ।
ପାରମ୍ପରିକ ରିପବ୍ଲିକାନମାନେ ସାଧାରଣତଃ ମୁକ୍ତ ବଜାର, ଶକ୍ତିଶାଳୀ ପ୍ରତିରକ୍ଷା ଓ ରକ୍ଷଣଶୀଳ ମୂଲ୍ୟବୋଧ ଉପରେ ବିଶ୍ୱାସ କରନ୍ତି । କିଛି ରିପବ୍ଲିକାନ ବ୍ୟବସାୟର ମାଲିକ ହୋଇଥିବା ବେଳେ ଆଉ କିଛି ଅର୍ଥନୈତିକ ଦୃଷ୍ଟିରୁ ବେଶ୍ ସମ୍ଭ୍ରାନ୍ତ ଅଟନ୍ତି । ସେମାନେ ବି ଆଇନର ଶାସନ ଓ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଥାନ୍ତି ।
ଟ୍ରମ୍ପ୍ ରିପବ୍ଲିକାନ ଭୋଟରମାନେ ସାଧାରଣତଃ ବହୁସଂଖ୍ୟାରେ ଅଶିକ୍ଷିତ ଓ ବ୍ଲୁ କଲାର ୱାର୍କର । ସେମାନଙ୍କ ମଧ୍ୟରୁ ଅନେକ ଚାକିରୀ ହରାଇସାରିଛନ୍ତି ବା ଭବିଷ୍ୟତରେ ଚାକିରୀ ହରାଇବାର ଭୟ ରଖନ୍ତି । ଅଧିକାଂଶ ସୀମିତ ପ୍ରଶାସନ ସପକ୍ଷବାଦୀ ବା ପ୍ରଶାସନ ବିରୋଧୀ ହୋଇଥାନ୍ତି । ଅବଶ୍ୟ ସେମାନେ ସରକାରଙ୍କ ସୁରକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥାନ୍ତି । ଅଧିକାଂଶ ଟ୍ରମ୍ପ ରିପବ୍ଲିକାନ ଖ୍ରୀଷ୍ଟିଆନ । ସେମାନଙ୍କ ପାଖରେ ଗନ୍ ବି ରହିଛି । ସେମାନେ ଦକ୍ଷିଣପନ୍ଥୀ ଚିନ୍ତାଧାରା ପ୍ରଚାର କରୁଥିବା ରେଡିଓ ଶୁଣନ୍ତି । ଡୋନାଲଡ୍ ଟ୍ରମ୍ପ ଯାହା କହିବେ, ସେମାନେ ତାହା ଶୁଣିବେ ଓ କରିବେ । ସେମାନେ ଆଇନର ଶାସନ ମାନନ୍ତି ନାହିଁ । ନିୟମ, ଆଇନ ଓ ସମ୍ବିଧାନକୁ ମାନିବା ରାଜନୀତିର ମୂଳମନ୍ତ୍ର ବୋଲି ସେମାନେ ବୁଝନ୍ତି ନାହିଁ । ସେମାନେ ସାଲିସ କରିବା ଅପେକ୍ଷା ନିଜର ସ୍ୱାର୍ଥ ହାସଲ ପାଇଁ ହିଁ ସର୍ବଦା ଚେଷ୍ଟିତ ଥାଆନ୍ତି । ଏହି ଧରଣର ଭୋଟରମାନଙ୍କୁ ସହଜରେ ଭୁଆଁ ବୁଲାଯାଇପାରେ ।
ଡେମୋକ୍ରାଟ ଓ ରିପବ୍ଲିକାନ ଭିନ୍ନ ଭିନ୍ନ ବବଲରେ ରହନ୍ତି । ସେମାନେ ଅଲଗା ଅଲଗା ଜାଗାରେ ବାସ କରନ୍ତି । ଅଲଗା ସ୍କୁଲକୁ ଯାଆନ୍ତି । ଅଲଗା ଅଲଗା ଉପାସନା ପୀଠକୁ ବି ଯାଆନ୍ତି । ନ୍ୟୁଜ ଓ ମନୋରଂଜନ ପାଇଁ ବି ସେମାନେ ଅଲଗା ଅଲଗା ଜାଗାକୁ ଯାଆନ୍ତି ।
ପ୍ରଶ୍ନ ୨- ବର୍ତମାନ ଆମେରିକାରେ ଅଚଳାବସ୍ଥା ପାଇଁ ଦାୟୀ କିଏ ? ରାଜନୈତିକ ଦଳଗୁଡିକୁ ସମାନ ଭାବେ ଏଥିପାଇଁ ଦାୟୀ ନା ଏହା ଟ୍ରମ୍ପ ପ୍ରଶାସନର ପରିଣାମ ?
ଉତ୍ତର- ଦୀର୍ଘ ଦିନ ଧରି ଏହି ବିଭାଜନର ନିଆଁ କୁହୁଳୁଥିଲା । ନିଉଟ୍ ଗିନଗ୍ରୀଚ୍ ଓ ଅନ୍ୟ ରିପବ୍ଲିକାନ ରାଜନେତାମାନେ ନିଆଁରେ ଘିଅ ଢାଳିବା ଭଳି କାମ କଲେ । ରାଜନୈତିକ ପ୍ରକ୍ରିୟା ଓ ଶାଳୀନତାକୁ ସେମାନେ ଉପେକ୍ଷା କଲେ । ନିର୍ବାଚନ ପ୍ରଚାରରେ ଟ୍ରମ୍ପଙ୍କ ‘ବିଭାଜନ ଓ ଅଧିକାର କର’ ଆଭିମୁଖ୍ୟ ପରିସ୍ଥିତିକୁ ଆହୁରି ସଂଗୀନ କରିଥିଲା । ପରିଣାମ ସ୍ୱରୂପ କ୍ୟାପିଟଲ ଉପରେ ଆକ୍ରମଣ ହେଲା ।
ଡେମୋକ୍ରାଟିକ ରାଜନେତାମାନେ ଦୀର୍ଘ ସମୟ ଧରି କଂଗ୍ରେସରେ ଆଧିପତ୍ୟ ବଜାୟ ରଖିଛନ୍ତି । ସେମାନଙ୍କ ପରିଚୟ ରାଜନୀତି ଓ ରିପବ୍ଲିକାନମାନଙ୍କୁ ବୁଝିବାରେ ଅବହେଳା ବିଭାଜନର କାରଣ ହୋଇଛି ।
ପ୍ରଶ୍ନ -୩ ଆମେରିକାର ରକ୍ଷଣଶୀଳ ଗୋଷ୍ଠୀ ଉଦାରବାଦୀ ଦକ୍ଷିଣପନ୍ଥୀଙ୍କୁ ବ୍ୟବହାର କରି ଗଣତାନ୍ତ୍ରିକ ଶାସନକୁ ଜଳାଂଜଳି ଦେଇଛନ୍ତି କି ? ଏ କ୍ଷେତ୍ରରେ ରିପବ୍ଲିକାନ ପାର୍ଟିର ଅବଦାନ କ’ଣ?
ଉତ୍ତର- ହଁ । ସେମାନେ ମୁକ୍ତ ଅଭିବ୍ୟକ୍ତି, ସାମ୍ବିଧାନିକ ଅଧିକାର ଓ ପୁଞ୍ଜିବାଦରେ ବିଶ୍ୱାସ ରଖୁଥିବା କଥା କହନ୍ତି । କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହେବାକୁ ଥିବା ବେଳେ ହିଁ ସେମାନେ ଏହି କଥା କହିଥାନ୍ତି । ସେମାନଙ୍କ ବିଚାରଧାରାରେ ସମ୍ମତ ହେଉ ନ ଥିବା ଲୋକଙ୍କ ଅଧିକାର ଓ ସ୍ୱାଧୀନତାକୁ ସେମାନେ ସମର୍ଥନ କରନ୍ତି ନାହିଁ । ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟି ଅସହିଷ୍ଣୁତା, ହିଂସାବାଦୀ ହ୍ୱାଇଟ ସୁପ୍ରିମାସିଷ୍ଟ ଗ୍ରୁପ୍ଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଆଉ ଏଥିପାଇଁ ହିଁ ବର୍ତ୍ତମାନର ଅବସ୍ଥା ସୃଷ୍ଟି ହୋଇଛି । ରିପବ୍ଲିକାନ ପାର୍ଟି ଏସବୁ ଗୋଷ୍ଠୀର ଲୋକଙ୍କ ଭୋଟ୍ ପାଇବାକୁ ଉଦ୍ୟମ କରିବାରୁ ସମସ୍ୟା ସୃଷ୍ଟି ହୋଇଛି ।
ପ୍ରଶ୍ନ ୪- ନିର୍ବାଚନ ହାରିଲା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଅନେକ ଆମେରିକୀୟଙ୍କ ସମର୍ଥନ ରହିଥିବା ମନେହେଉଛି । ଏହାକୁ ଜଣେ କିଭଳି ଭାବେ ଦେଖିବ ?
ଉତ୍ତର- ଟ୍ରମ୍ପଙ୍କ ହାର୍ଡକୋର୍ ସମର୍ଥକମାନେ ଟ୍ରମ୍ପ ଓ କିଛି ରିପବ୍ଲିକାନ ନେତାଙ୍କ ମିଥ୍ୟାକୁ ଅନ୍ଧ ଭାବେ ବିଶ୍ୱାସ କରିନେଇଛନ୍ତି । ନିର୍ବାଚନରେ ତାଙ୍କୁ ହରାଇବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ଟ୍ରମ୍ପଙ୍କ କଥାକୁ ସେମାନେ ସହଜରେ ଗ୍ରହଣ କରିନେଇଛନ୍ତି ।
ପ୍ରଶ୍ନ ୫-ସ୍ୱାଭାବିକ ରାଜନୈତିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜନୈତିକ ଦଳଗୁଡିକର ଭୂମିକା ଏବେ କିଭଳି ରହିବ ?
ଉତ୍ତର-ପାରମ୍ପରିକ ମୂଲ୍ୟବୋଧ ଉପରେ ବିଶ୍ୱାସ ରଖୁଥିବା ପ୍ରାର୍ଥୀଙ୍କ ଚୟନ ଓ ଭର୍ତ୍ତିଉପରେ ରାଜନୈତିକ ଦଳଗୁଡିକ ଜୋର୍ ଦେବା ଦରକାର । ଆମେରିକାର ରାଜନୈତିକ ବ୍ୟବସ୍ଥା ଓ ମୂଲ୍ୟବୋଧକୁ ସମର୍ଥନ କରୁ ନ ଥିବା ଲୋକଙ୍କୁ ସେମାନେ ପ୍ରତ୍ୟାଖ୍ୟାନ କରିବା ଦରକାର ।
ପ୍ରଶ୍ନ ୬-ଆମେରିକା ଭଳି ଏକ ସମୃଦ୍ଧ ସମାଜରେ ସାମାଜିକ ସମାନତା ବଜାୟ ରହିପାରୁନାହିଁ କାହିଁକି ? ନାଗରିକଙ୍କ ପାଇଁ ସାମାଜିକ ଓ ଆର୍ଥିକ ନ୍ୟାୟ କାହିଁକି ନାହିଁ ?
ଉତ୍ତର – ସମାଜରେ ବିଭାଜନ ଓ ଲୋଭ ସୃଷ୍ଟି କରୁଥିବା ନେତୃତ୍ୱ ଯୋଗୁଁ ଏଭଳି ଘଟୁଛି । ଭୋଟରମାନେ ବି ଅନ୍ଧଭାବେ ଏଭଳି ନେତୃତ୍ୱର ପଦାଙ୍କ ଅନୁସରଣ କରୁଛନ୍ତି ।
ପ୍ରଶ୍ନ ୭- ଆମେରିକାର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିରେ ଚୀନ୍ର କୌଣସି ଭୂମିକା ବା ପ୍ରଭାବ ଆପଣ ଦେଖୁଛନ୍ତି କି ?
ଉତ୍ତର – ଚୀନ୍ ପଟୁ ବିପଦ ତ ଅଛି । କିନ୍ତୁ କିଛି ରାଜନେତା ଏହାକୁ ଅତିରଂଜିତ କରି ଉପସ୍ଥାପନ କରିଛନ୍ତି । ଯାହା ଫଳରେ ଅଭ୍ୟନ୍ତରୀଣ ବିପଦ, ହିଂସାବାଦୀ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଠାରୁ ଲୋକଙ୍କ ଧ୍ୟାନ ହଟିଛି ।
ପ୍ରଶ୍ନ ୮- ଲୋକପ୍ରିୟ ସ୍ୱେଛାଚାରିତାର ନିୟନ୍ତ୍ରଣ ପାଇଁ ଆମେରିକାରେ ନ୍ୟାୟିକ ବିଭାଗ ଓ ଗଣମାଧ୍ୟମ ପରି ପ୍ରତିଷ୍ଠାନ ରହିଛି । ଏସବୁ ପ୍ରତିଷ୍ଠାନ ଆମେରିକୀୟ ଗଣତନ୍ତ୍ର ସମୃଦ୍ଧ । ଆମେରିକାର ଜନକଙ୍କ ଆଦର୍ଶକୁ ଆଗେଇ ନେବାରେ ଏସବୁ ପ୍ରତିଷ୍ଠାନଗୁଡିକର ଭୂମିକା ଟ୍ରମ୍ପ ପ୍ରଶାସନ କାଳରେ କେମିତି ଥିଲା ? ସେମାନଙ୍କ ଲକ୍ଷ୍ୟ ପୂରଣ ଦିଗରେ ରାଜନୈତିକ ଦଳଗୁଡିକ କେତେଦୂର ସଫଳ ହୋଇଛନ୍ତି ?
ଉତ୍ତର –ଟ୍ରମ୍ପ ପରିସ୍ଥିତିକୁ ଅଡୁଆ କରିଦେଇଛନ୍ତି । କଂଗ୍ରେସ ଓ କୋର୍ଟର ସାମ୍ବିଧାନିକ ଭୂମିକାକୁ ସେ ଅଣଦେଖା କରିଥିଲେ । ରାଜନୈତିକ ଦଳଗୁଡିକ ଇଲେକଟୋରାଲ ମେଜରିଟିକୁ ଅଧିକ ଗୁରୁତ୍ୱ ଦେବାକୁ ଲାଗିଛନ୍ତି । କିନ୍ତୁ ଯେକୈାଣସି ବ୍ୟକ୍ତିଙ୍କୁ ଦଳୀୟ ନୋମିନେସନ ଦେବା ଆହ୍ୱାନ ସୃଷ୍ଟି କରିଛି ।
ପ୍ରଶ୍ନ ୯- ବାଇଡେନ ପ୍ରଶାସନ ପାଇଁ ଆହ୍ୱାନ କ’ଣ ରହିବ ?
ଉତ୍ତର – ମହାମାରୀ, ଦୁର୍ବଳ ଅର୍ଥନୀତି, ସାମାଜିକ ବିଭାଜନ, ଯାହା ଦ୍ୱାରା କି କ୍ୟାପିଟଲ ଉପରେ ଆକ୍ରମଣ ହେଲା । କଂଗ୍ରେସର ରିପବ୍ଲିକାନ ସଦସ୍ୟମାନଙ୍କ ଆଶଙ୍କା ଯେ, ସାଲିସ କରାଗଲେ ସେମାନେ ଅତିବାଦୀ ରାଜନୀତିଜ୍ଞଙ୍କ ପାଖରେ ହାରମାନିବେ । ତେଣୁ ସେମାନେ ବାଇଡେନଙ୍କ ସହ ସାଲିସ ପାଇଁ କୁଣ୍ଠିତ । ତେବେ, ଏସବୁ ଆହ୍ୱାନ ହିଁ ବାଇଡେନଙ୍କୁ ମହାନ ରାଷ୍ଟ୍ରପତିରେ ପରିଣତ କରିପାରେ ।
ପ୍ରଶ୍ନ ୧୦ - ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଦେଖି ଆମେରିକୀୟ ଗଣତନ୍ତ୍ରକୁ ଆପଣ କିଭଳି ଦେଖିବେ ?
ଉତ୍ତର- ଆମେରିକା ସଂକଟ ଦେଇ ଗତି କରୁଛି । ଗୃହଯୁଦ୍ଧ ପୂର୍ବବର୍ତ୍ତୀ ଭଳି ସଂକଟ ଗୁରୁତର ନ ଥିଲେ ମଧ୍ୟ ୧୯୬୦ ଦଶକ ଓ ଗ୍ରେଟ୍ ଡିପ୍ରେସନ ସମୟର ସ୍ଥିତି ସୃଷ୍ଟି ହୋଇଛି ।
ପ୍ରଶ୍ନ ୧୧- ଆମେରିକାରେ ଦକ୍ଷିଣପନ୍ଥୀ ରାଜନୀତିର ଭବିଷ୍ୟତ କ’ଣ ?
ଉତ୍ତର – ଗଣତନ୍ତ୍ର ବିରୋଧୀ ଦକ୍ଷିଣପନ୍ଥୀଙ୍କ ହିଂସାତ୍ମକ ବିଶୃଙ୍ଖଳା ଦମନ କରାଯିବା ଜରୁରୀ । ଏଥିପାଇଁ କଡା ଆଇନ୍ ପ୍ରବର୍ତ୍ତନ ଜରୁକୀ । ଶକ୍ତିଶାଳୀ ଓ ସଚ୍ଚୋଟ ରିପବ୍ଲିକାନ ନେତୃତ୍ୱର ବି ଆବଶ୍ୟକତା ରହିଛି ।
ନରସିଂହ ରେଡ୍ଡି