ରାଞ୍ଚି: ଝାଡଖଣ୍ଡ ଲାତେହାର ଜିଲ୍ଲାର ମାଣିକା ବ୍ଲକ ମୁଖ୍ୟାଳୟରେ CRPFର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ଯବାନ ଜଣକ ନିଜ ବନ୍ଧୁକରେ ଗୁଳିଚାଳନା କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯବାନ ଜଣକ ଆସାମ ବାସିନ୍ଦା । ସେ CRPF 133 ବାଟାଲିୟନର ଏ-କ୍ୟାମ୍ପରେ ନିୟୋଜିତ ଥିଲେ । ସିଆରପିଏଫ କ୍ୟାମ୍ପର ଅନ୍ୟଜଣେ ଯବାନ ଗତ 11 ଦିନ ତଳେ ଆତ୍ମହତ୍ୟା କରିଥିବାରୁ ଘଟଣାଟି ଅନ୍ୟ ଯବାନଙ୍କ ଚିନ୍ତାର କାରଣ ପାଲଟିଛି ।
ତେବେ ଆସାମର ମୋକ୍ସା ଅଞ୍ଚଳର ପ୍ରବୀଣ ମୌଚରୀ ନାମକ ଜଣେ CRPF ଯବାନ ନିଜ ବନ୍ଧୁକରେ ଗୁଳିଚାଳନା କରି ଆତ୍ମହତ୍ୟା କରିଛନ୍ତି । ଏହିସମୟରେ ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ସେଠାରେ ପହଞ୍ଚିଥିଲେ । ତେବେ ଅନ୍ୟ ସାଥୀ ଯବାନମାନେ ପ୍ରବୀଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ CRPF ର ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦେବାପରେ ମାଣିକା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସୁରଜ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ଡ ଇନ୍ସପେକ୍ଟର ମଧ୍ୟ ପହଞ୍ଚି ଯବାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଯବାନ ପ୍ରବୀଣ କିଛି ଦିନ ପୂର୍ବରୁ ଛୁଟିରୁ ଫେରିଥିଲେ । ସେବେଠାରୁ ସେ ଚାପରେ ରହୁଥିଲେ । ସେ କିଛିଦିନ ହେବ ତାଙ୍କ ସାଥୀ ଯବାନଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେବା ସହ ଅଧିକାଂଶ ସମୟ ଏକୁଟିଆ ରହୁଥିଲେ । ତେବେ ତଦନ୍ତ ପରେ ଯବାନଙ୍କ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡିବ ବୋଲି କୁହାଯାଉଛି । ଅନ୍ୟପଟେ ଗତ 11 ଦିନ ତଳେ ଲାତେହର ବ୍ଲକର ଅନ୍ୟଜଣେ ଯବାନ ଆତ୍ମହତ୍ୟା କରିଥିଲେ । ବାରମ୍ବାର ସାଥୀ CRPF କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ ଅନ୍ୟ ଯବାନ ଏବଂ CRPF ଅଧିକାରୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ