ଡେରାଡୁନ: ଉତ୍ତରାଖଣ୍ଡ ଯୋଶୀମଠର ଭୌଗୋଳିକ ବିପର୍ଯ୍ୟୟ ଏବେ ସ୍ଥାନୀୟ ବାସିନ୍ଦାଙ୍କ ଖୁସିରେ ଗ୍ରହଣ ଲଗାଇଛି । ସ୍ବପ୍ନର ଘର ଧସୁଥିବା ଦେଖି ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ରହଣିକୁ ନେଇ ଏଠାରେ ଲୋକେ ଚିନ୍ତାଗ୍ରସ୍ତ ଥିବା ବେଳେ ଏବେ ବିବାହ ଭଳି ଖୁସିର ଉତ୍ସବ ଉପରେ ମଧ୍ୟ ଖଣ୍ଡା ଝୁଲୁଛି । ଘର ଆଗରେ ବିପଦ ସଙ୍କେତ ରୂପକ ନାଲି ଛକି ଦେଖିବା ପରେ ଜ୍ୟୋତିଙ୍କ ବିବାହ ସ୍ବପ୍ନ ଧୂଳିସାତ ହୋଇଛି । ମାର୍ଚ୍ଚରେ ବିବାହ ଥିବା ବେଳେ ଘରେ ବିବାହ ଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର ଘରେ ଫାଟ ସୃଷ୍ଟି ହେବା ପରେ ସେମାନଙ୍କ ଘରକୁ ବିପଦ ସଙ୍କୁଳ ଦର୍ଶାଇ ଘର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେବା ପରେ ଯୁବତୀ ଓ ପରିବାର ଭାବବିହ୍ବଳ ହୋଇପଡ଼ିଛନ୍ତି ।
ମାର୍ଚ୍ଚରେ ଜ୍ୟୋତିଙ୍କ ବିବାହ:- ବିବାହ ନେଇ ପ୍ରତି ଯୁବତୀଙ୍କ ଏକ ସ୍ବପ୍ନ ରହିଥାଏ । ଜ୍ୟୋତି ମଧ୍ୟ ଠିକ ସେହିପରି ସ୍ବପ୍ନ ଦେଖିଥିଲେ । ବିବାହ ଲାଗି ଦିନ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଏଥିଲାଗି ଘରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହେଲେ ଏବେ ଘରେ ଫାଟ ସୃଷ୍ଟି ହେବା ପରେ ବିବାହ ପ୍ରସ୍ତୁତି କାର୍ଯ୍ୟକୁ ଅଧାରେ ରୋକା ଯାଇଛି । ଏ ନେଇ ଜ୍ୟୋତି କହିଛନ୍ତି, "ଘରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିବାହ ଲାଗି ଅନେକ ମୂଲ୍ୟବାନ ଜିନିଷ କିଣାଯାଇ ଘରେ ରଖାଯାଇଥିଲା । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖି ମୋତେ ଲାଗୁ ନାହିଁ ଯେ କେବେ ମୋର ବିବାହ ହୋଇପାରିବ ।"
ପ୍ରଶାସନ ଉପରେ କ୍ଷୁବ୍ଧ ପରିବାର:- ଯୋଶୀମଠରେ ଭୂ ସ୍ଖଳନ ନେଇ ଜ୍ୟୋତିଙ୍କ ମାଆ ବହୁତ ଦୁଃଖିତ ଥିବା କହିଛନ୍ତି । ଏ ନେଇ ସେ କହିଛନ୍ତି, " ଆସନ୍ତା ମାର୍ଚ୍ଚରେ ମୋ ଝିଅର ବିବାହ ଥିଲା । ମାତ୍ର ଆମ ଘର ବାସଉପଯୋଗୀ ନଥିବା ଦର୍ଶାଇ ଏବେ ପ୍ରଶାସନ ଘର ଆଗରେ ନାଲି କ୍ରସ ମାରିଛି । ଏବେ ଆମେ କଣ କରିବୁ କେଉଁ ଆଡ଼େ ଯିବୁ ସେ ନେଇ ଚିନ୍ତାରେ ପଡିଯାଇଛୁ । ବିବାହ ପାଇଁ କିଣା ସରିଥିବା ଜିନିଷ ସବୁ କେଉଁଠି ରଖିବୁ ? ମୋ ଝିଅର ବିବାହ ଏଠାରେ କରିବାକୁ ଚାହୁଁଥିଲି । ମାତ୍ର ଏବେ ସବୁ କିଛି ଭଗବାନଙ୍କ ଉପରେ ନ୍ୟସ୍ତ ।"
ଏହା ବି ପଢନ୍ତୁ- Earthquake In Uttarkashi: ଯୋଶୀ ମଠରୁ ୨୫୦ କିମି ଦୂରରେ ଭୂକମ୍ପ ଝଟକା
ଏବେ ଯୋଶୀମଠରେ କିପରି ରହିଛି ସ୍ଥିତି:- ଯୋଶୀମଠର ସହରାଞ୍ଚଳର ୯ଟି ୱାର୍ଡରେ ମୋଟ ୭୬୦ଟି ଘରକୁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୨୮ଟି ଘରକୁ ଅସୁରକ୍ଷିତ ଦର୍ଶାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ଦ୍ବାରା ଏଯାବତ ୧୬୯ ପରିବାରର ୫୮୯ ଜଣଙ୍କୁ ଅସ୍ଥାୟୀ ଭାବରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯୋଶୀମଠରେ ବାସିନ୍ଦାଙ୍କୁ ଅସ୍ଥାୟୀ ଭାବରେ ବାସସ୍ଥାନ ଯୋଗାଇବା ଲାଗି ପ୍ରଶାସନ ଅସ୍ଥାୟୀ ଶିବିର ମଧ୍ୟ ନିର୍ମାଣ କରିଛି । ଏଠାରେ ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ଆଶ୍ରୟ ଦିଆଯାଇଛି ।
ଜିଲ୍ଲା ପ୍ରଶାସନର ଆର୍ଥିକ ସହାୟତା:- ଯୋଶୀମଠରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଛି ଜିଲ୍ଲା ପ୍ରଶାସନ । ଦୈନିକ ବ୍ୟବହାର ଉପଯୋଗୀ ସାମଗ୍ରୀ କିଣିବା ଲାଗି ୭୩ଟି ପରିବାରକୁ ୫ ହଜାର ଲେଖାଏଁ ମୋଟ ୩ ଲକ୍ଷ ୬୫ ହଜାର ଟଙ୍କା ଦିଆଯାଇଛି । ସେହିପରି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଘରକୁ ୧ ଲକ୍ଷ ୩୦ ହଜାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।