ୱାଶିଂଟନ: ଭାରତରୁ ଆମେରିକା ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଠାରୁ ଏଭଳି କିଛି ଜିନିଷ ଜବତ ହୋଇଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏୟାରପୋର୍ଟ ସୁରକ୍ଷାକର୍ମୀ । ଯାଞ୍ଚ ଓ ପଚରାଉଚୁରା ପରେ ଯାତ୍ରୀ ଜଣଙ୍କୁ ଛାଡିଦିଆଯାଇଥିଲା ହେଲେ ତାଙ୍କ ବ୍ୟାଗରେ ଥିବା ସେହି ଜିନିଷକୁ କିନ୍ତୁ ସାଙ୍ଗରେ ନେବାର ମିଳିନଥିଲା ଅନୁମତି ।
ଆମେରିକାର ଅଧିକାରୀଙ୍କ କହିବାନୁଯାୟୀ, ଭାରତୀୟ ଯାତ୍ରୀ ନିଜ ସାଙ୍ଗରେ ଆଣିଥିବା ଜିନିଷରୁ ଗମ୍ଭୀର ରୋଗର ବିପଦ ରହିଛି । ଏଥିପାଇଁ ତାହାକୁ ନଷ୍ଟ କରିବାକୁ ପଡିଛି ।
ଆମେରିକା ସୀମା ଶୁଳ୍କ ଏବଂ ସୁରକ୍ଷା(CBP) ପକ୍ଷରୁ ଜାରି ବୟାନ ଅନୁଯାୟୀ, ଭାରତରୁ ଆମେରିକା ଆସିଥିବା ବ୍ୟକ୍ତିଙ୍କ ବ୍ୟାଗରୁ ଗୋବରରୁ ତିଆରି ଘସି ହୋଇଥିଲା ଜବତ । ଯାଞ୍ଚ ପରେ ଭାରତୀୟ ଯାତ୍ରୀ ଜଣଙ୍କ ଘସି ଭର୍ତ୍ତି ବ୍ୟାଗକୁ ଏୟାରପୋର୍ଟରେ ଛାଡି ଚାଲିଯାଇଛି । ପରେ ଏହାକୁ ନଷ୍ଟ କରିଦିଆଯାଇଥିବା କୁହାଯାଇଛି ।
ଅଧିକାରୀମାନେ କହିଛନ୍ତି, ଆମେରିକାରେ ଘସି ଉପରେ ଲାଗିଛି ପ୍ରତିବନ୍ଧକ । କାରଣ ଏଥିରୁ ଅତ୍ୟଧିକ ସଂକ୍ରମଣ ଜନିତ ପାଟି ଓ ପାଦ ରୋଗର ଭୟ ରହିଛି । ଯେଉଁ ବ୍ୟାଗରୁ ଘସି ଜବତ ହୋଇଛି ତାହା 4 ଏପ୍ରିଲରେ ଏୟାର ଇଣ୍ଡିଆ ବିମାନରେ ଭାରତରୁ ଆମେରିକା ଆସିଥିବା ଜଣେ ଯାତ୍ରୀଙ୍କ ବୋଲି ସ୍ପଷ୍ଟ କରିଛି ସିବିପି ।