ଭୋପାଳ: ଦେଶରେ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବା ପର ଠାରୁ ଅନେକ ଥର ଦୁର୍ଘଟଣାଗ୍ରସ୍ତ ହେବାର ଖବର ସାମ୍ନାକୁ ଆସିଛି । ପୁଣି ଥରେ ଗତକାଲି(ଗୁରୁବାର) ମଧ୍ୟପ୍ରଦେଶର ଗ୍ବାଲିୟରରେ ଦୁର୍ଘଟଣା ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଗାଈକୁ ଧକ୍କା ଦେବାରୁ ଟ୍ରେନର ବୋନେଟ ଖୋଲିଯାଇଥିବା ବେଳେ ଆଗ ଭାଗ ପୁରା ଭାଙ୍ଗିଯାଇଥିବା ଦେଖାଦେଇଛି । ଏହି ଘଟଣା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିବା ବେଳେ ଗ୍ବାଲିୟର ଷ୍ଟେସନରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା ଟ୍ରେନ । ଏହି ବନ୍ଦେ ଭାରତ ନୂଆଦିଲ୍ଲୀରୁ ଭୋପାଳର ରାନୀ କମଲାବତୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତାୟତ କରୁଛି ।
ସୂଚନାଅନୁସାରେ, ଗୁରୁବାର ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀରୁ ଭୋପାଳ ଫେରୁଥିବା ବେଳେ ଗ୍ବାଲିୟର ଷ୍ଟେସନ ନିକଟରେ ଏକ ଗାଈ ସହ ଧକ୍କା ହୋଇଥିଲା । ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଟ୍ରେନର ବୋନେଟ ଭାଙ୍ଗିଯିବାରୁ ଗ୍ବାଲିୟର ଷ୍ଟେସନରେ ୧୫ରୁ ୨୦ ମିନିଟ ଅଟକି ରହିଥିଲା ଟ୍ରେନ । ତେବେ ସବୁଠାରୁ ବଡକଥା ହେଲା ଟ୍ରେନଟି ଗାଈ ସହ ଧକ୍କା ହେବା ସମୟରେ ବେଗ କମ ରହିଥିଲା । ଏକ ଷ୍ଟେସନ ଛାଡୁଥିବାରୁ ଟ୍ରେନର ବେଗ କମ ରହଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିଲା । ଦୁର୍ଘଟଣାକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଜମିଥିବା ବେଳେ ଲୋକେ ମଧ୍ୟ ଭୟଭୀତ ହୋଇଥିଲେ । ରେଲଓ୍ବେର ବୈଷୟିକ ଟିମ ଦ୍ବାରା ବନ୍ଦେ ଭାରତ ଏକ୍ସପ୍ରେସର ବୋନେଟ ଠିକ କରିବା ପରେ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ:ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା, ଇନ୍ଦୋରରୁ ୬୦ ବର୍ଷୀୟ ବୃଦ୍ଧ ଗିରଫ
ପ୍ରକାଶଥାଉକି, ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଥର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏପ୍ରିଲ ୧ ତାରିଖରେ ପତାକା ଦେଖାଇ ଉଦଘାଟନ କରିଥିଲେ । ନୂଆଦିଲ୍ଲୀରୁ ଭୋପାଳର ରାନୀ କମଲାବତୀ ରେଳ ଷ୍ଟେସନ ପହଞ୍ଚିବା ପାଇଁ ୭ଘଣ୍ଟା ୫୦ ମିନିଟ ସମୟ ଲାଗୁଛି । ତେବେ ଉଦଘାଟନ ମାସେ ନପୂରୁଣୁ ଦୁର୍ଘଟଣା ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଏକ୍ସପ୍ରେସ ସହ ଗାଈଗୋରୁଙ୍କ ଧକ୍କା ସରକାରଙ୍କ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏହାରୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ