ହାଇଦ୍ରାବାଦ: ଦେଶରେ ହଜାର ପାର୍ କଲାଣି ଓମିକ୍ରନ ସଂକ୍ରମଣ । ନୂଆ ଭାରିଆଣ୍ଟ ମାମଲା ବୃଦ୍ଧି ସହ କ୍ରମାଗତ ଭାବେ ଦେଶର ଦୈନିକ ସଂକ୍ରମଣ ହାର ମଧ୍ୟ ବଢିଚାଲିଛି । ତେଲେଙ୍ଗାନା ସମେତ ସମଗ୍ର ଦେଶରେ ସ୍ଥିତ ସମାନ । ଯାହା ସ୍ପଷ୍ଟ କରୁଛି ଯେ, ଓମିକ୍ରନ ଭାରିଆଣ୍ଟ ଦ୍ବାରା ସଂଚାଳିତ ତୃତୀୟ ଲହର ଦେଶରେ ଆରମ୍ଭ ହୋଇଗଲାଣି ଏବଂ ସମ୍ପ୍ରତ୍ତି ଏହା ପ୍ରାରମ୍ଭିକ ପର୍ଯ୍ୟାୟର ରହିଛି । ତେଲେଙ୍ଗାନା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଜି ଶ୍ରୀନିବାସ ରାଓ(Director of Public Health Dr G Srinivasa Rao ) ଗୁରୁବାର ଏହା ପ୍ରକାଶ କରିଛନ୍ତି ।
ମାତ୍ର କେଇଟା ଦିନ ଭିତରେ ତେଲେଙ୍ଗାନା ସମେତ ଅନ୍ୟ ଭାରତୀୟ ରାଜ୍ୟଗୁଡିକରେ ପଜିଟିଭ ମାମଲା ଅପ୍ରତ୍ୟାଶିତ ଭାବେ ବଢି ଚାଲିଛି । ପୂର୍ବ ଲହର ସମୟରେ ମଧ୍ୟ ଏଭଳି ଦ୍ରୁତଗତିରେ ସଂକ୍ରମଣ ବ୍ୟାପିନଥିଲା । ତେବେ ସଂକ୍ରମଣ ବୃଦ୍ଧି ନେଇ ଆମେ ଭୟଭୀତ ହେବା ଅନୁଚିତ୍ । ତୃତୀୟ ଲହର ଯେତେଶୀଘ୍ର ଆରମ୍ଭ ହେବ ସେତେଶୀଘ୍ର ମଧ୍ୟ କମିବ ବୋଲି ଡ. ଶ୍ରୀନିବାସ ଜଣାଇଛନ୍ତି ।
ଦେଶବ୍ୟାପୀ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ତେଲେଙ୍ଗାନାରେ ମଧ୍ୟ ଏହା ଦେଖାଯାଉଛି । ଦ୍ବିତୀୟ ଡେଲ୍ଟା ଲହରରୁ ଆମ୍ଭେମାନେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଯଥେଷ୍ଟ ସତର୍କ ଏବଂ ସଚେତନ ରହିଛୁ । ଆଗାମୀ ଦୁଇରୁ ଚାରି ସପ୍ତାହ ଅତ୍ୟନ୍ତ ଉଦବେଗ୍ ଜନକ ହେବାକୁ ଯାଉଛି । ଯେହେତୁ ଓମିକ୍ରନ ଦ୍ରୁତ ସଂକ୍ରମକ ଅଟେ, ତେଣୁ ଲୋକଙ୍କୁ ଉତ୍ତମ ଭେଣ୍ଟିଲେସନ ଯୁକ୍ତ ମାସ୍କ ବ୍ୟବହାର କରିବାକୁ ଡ. ରାଓ ପରାମର୍ଶ ଦେଇଛନ୍ତି ।
ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ କୋରୋନା ପଜିଟିଭ ହାର 0.6 ପ୍ରତିଶତରୁ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ(GHMC) ଏବଂ ଅନ୍ୟ ସହାରଞ୍ଚଳରେ ସଂକ୍ରମଣ ଉପରମୁହାଁ ରହିଛି । ତେଣୁ ଆଗାମୀ ଦିନରେ ମେଡିକାଲରେ ଶଯ୍ୟା ପାଇଁ ଚାହିଦା ଯଥେଷ୍ଟ ବୃଦ୍ଧି ପାଇପାରେ । ଆମେ ପ୍ରଥମ ଏବଂ ଦ୍ବିତୀୟ ଲହରରୁ ଅନେକ ଶିକ୍ଷା ପାଇଛେ । ତେଣୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଡ. ଜି ଶ୍ରୀନିବାସ ରାଓ ଚେତାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ