ଦ୍ବିତୀୟ ଲହରୀରେ କୋଭିଡର ଭୟାବହତା ଯେଉଁଭଳି ନିଷ୍ଠୁର ଭାବେ ବଢ଼ି ବଢ଼ି ଚାଲିଛି ତାହା ସାରା ଦେଶକୁ ଚକିତ କରି ଦେଇଛି । ଦ୍ବିତୀୟ ଲହରୀରେ କୋଭିଡ୍ ମହାମାରୀ ଯେ ସାଂଘାତିକ ହେବ ତାହା ଆମେରିକା ଓ ୟୁରୋପର ଅଭିଜ୍ଞତାର ଜାଣିଥିବା ସତ୍ତ୍ବେ ବି ଆମ ସରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଏପରି ଭୟଙ୍କର ଲହରୀ ପାଇଁ ଚିକିତ୍ସା କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରି ରଖିବାକୁ ଆଗୁଆ ଚିନ୍ତା କଲେନାହିଁ । ସରକାରଙ୍କ ଏପରି ଖାମଖିଆଲ ମନୋଭାବରୁ କୋଭିଡ୍ ଏହି ଦ୍ବିତୀୟ ଲହରୀରେ ଏତେ ମାରାତ୍ମକ ରୂପ ନେଇଛି।
ଯଦିଓ ପ୍ରଧାନମନ୍ତ୍ରୀ ଜୋର ଦେଇ କହୁଛନ୍ତି ଯେ, ଗତବର୍ଷ ଏହି ସମୟ ବେଳକୁ ସ୍ଥିତି ଯାହା ଥିଲା ତାହାର ତୁଳନା କଲେ ବର୍ତ୍ତମାନର ସ୍ଥିତିରେ ଅନେକ ସୁଧାର ରହିଛି । କିନ୍ତୁ ପଜିଟିଭ ରୋଗୀ ସଂଖ୍ୟାରେ ତିନି ଗୁଣା ବୃଦ୍ଧି ଏବଂ ମୃତ୍ୟୁହାର ଅଧିକ ରହିବା ବର୍ତ୍ତମାନ ଥିବା ସଂକଟର ଚିତ୍ର ବଖାଣୁଛି । କେନ୍ଦ୍ର ସରକାର ଆହୁରି ମଧ୍ୟ ଦାବି କରୁଛନ୍ତି ଯେ, କୋଭିଡ ପରୀକ୍ଷା କେନ୍ଦ୍ର 2500କୁ ବୃଦ୍ଧି କରାଯାଇଛି, କିନ୍ତୁ ବାସ୍ତବ ତଥ୍ୟ ହେଉଛି ଦେଶର ରାଜଧାନୀ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ଯୋଗୁଁ ଦୁଇ ଦିନ ପାଇଁ ପରୀକ୍ଷା ବନ୍ଦ କରି ଦିଆଯାଇଥିଲା । ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ବେଡ୍ ମିଳୁନାହିଁ, ଅଥଚ ଅନେକ ସଂଖ୍ୟାରେ କୋଭିଡ୍ ସ୍ବତନ୍ତ୍ର ହସ୍ପିଟାଲ ଖୋଲାଯାଇଥିବା ଫମ୍ଫା ଆୱାଜ ଦିଆଯାଉଛି ।
ଅକ୍ସିଜେନ୍ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଥିବା କଥା ବାସ୍ତବରେ ହୃଦୟ ବିଦାରକ । ଏଇ କିଛି ଦିନ ଭିତରେ ଭାରତ 70ରୁ ଅଧିକ ରାଷ୍ଟ୍ରକୁ 6.6 କୋଟି କୋଭିଡ୍ ଟିକା ରପ୍ତାନି କରିଛି । କିନ୍ତୁ ଆଜିକା ଦିନରେ ଭାରତ ପାଖରେ ନିଜ ଲୋକଙ୍କ ପାଇଁ ଟିକା ମହଜୁଦ ନାହିଁ । ଆବଶ୍ୟକ ଚିକିତ୍ସା ଓ ମେଡିକାଲ ସରଞ୍ଜାମ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଥିବା ଯୁବ ଡାକ୍ତରମାନେ ସମାଲୋଚନା କରୁଛନ୍ତି ଯାହାକି ସରକାରଙ୍କ ନିଷ୍କ୍ରିୟତା ସୂଚାଇ ଦେଉଛି । ଯଦିଓ 162ଟି ଅକ୍ସିଜେନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି , କେବଳ ମାତ୍ର ଏହାର ଏକ ପଞ୍ଚମାଂଶ ପ୍ରକୃତରେ ସ୍ଥାପନ ହୋଇଛି । କୋଭିଡ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଯୁକ୍ତ ଟାସ୍କ ଫୋର୍ସ ଯଦି ତାହାର ଦାୟିତ୍ବ ସୂଚାରୁ ଭାବେ ତୁଲାଇଥାନ୍ତା ତେବେ ଦେଶ ଆଜି 3 ଲକ୍ଷ ପଜିଟିଭ କେସ୍ ଏବଂ ଦଶ ପ୍ରତିଶତ ମୃତ୍ୟୁ ହାର ପରି ସମସ୍ୟାରେ ଜୁଝୁନଥାନ୍ତା । ସରକାରଙ୍କ ବର୍ତ୍ତମାନର ଟୀକାକରଣ ନୀତି ମଧ୍ୟ ଆଶ୍ବାସନାମୂଳକ ନୁହେଁ ।
ସାରା ବିଶ୍ବରେ ଯେତିକି ଟିକା ଉତ୍ପାଦନ ହେଉଛି ତାହାର 60 ପ୍ରତିଶତ ଟିକା ଭାରତ ନିର୍ମାଣ କରୁଛି । କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ଏଭଳି ଏକ ଦେଶ ନିଜେ ଟିକା ଅଭାବରେ ପଡିଯାଇଛି । ସାରା ବିଶ୍ବ ଭାବିଥିଲା ଯେ, ଟିକା ଆସିଗଲେ ଅନେକାଂଶରେ ମୃତ୍ୟୁହାର ରୋକାଯିବ ଏବଂ କୋଭିଡର ଅଧିକ ସଂକ୍ରମଣ ବିପଦ ଏଡାଇ ଦିଆଯାଇ ପାରିବ । ଏପରିକି ଯେତେବେଳେ କୋଭିଡ ଟିକା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିଲା, ସେତେବେଳେ ହିଁ ଆମେରିକା ତାହାର 30 କୋଟି ଲୋକଙ୍କ ପାଇଁ 60 କୋଟି ଟିକା ଅର୍ଡର କରି ଦେଇଥିଲା ଏବଂ ଏଥିପାଇଁ ପୂରା ଅର୍ଥ ମଧ୍ୟ ଅଗ୍ରୀମ ପ୍ରଦାନ କରିଦେଇଥିଲା । ଅନ୍ୟପକ୍ଷରେ ଭାରତ ତାହାର 130 କୋଟି ଲୋକଙ୍କ ପାଇଁ ମାତ୍ର 1.10 କୋଟି ଟିକା ଅର୍ଡର କରିଥିଲା ।
ଯଦିଓ ପର୍ଯ୍ୟାୟକ୍ରମେ ଟିକାଦାନ କାର୍ଯ୍ୟକ୍ରମ ଜାନୁଆରି 16ରୁ ଆରମ୍ଭ ହୋଇଥିଲା, ପ୍ରଥମ ପର୍ଯ୍ୟାୟରେ 3 କୋଟି ଆଗୁଆ ଯୋଦ୍ଧାଙ୍କ ମଧ୍ୟରୁ ମାତ୍ର 37 ପ୍ରତିଶତ ଟିକା ନେଇଛନ୍ତି । ଏହାପରେ ସରକାର 45ରୁ 60 ବର୍ଷ ମଧ୍ୟରେ ପ୍ରତ୍ୟେକ ଲୋକଙ୍କୁ ଟିକା ଦେବା ପାଇଁ ଅନୁମତି ଦେଲେ । ହେଲେ ଏବେକାର ସ୍ଥିତି ହେଉଛି ଯେ, ଅନେକ ରାଜ୍ୟ ଟିକା ମାଗି ଅପେକ୍ଷାରେ ରହିଛନ୍ତି । ଉତ୍ପାଦନ କ୍ଷମତା ବଢାଇବା ପାଇଁ ଟିକା ନିର୍ମାଣକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ, ଏହି ପ୍ରକ୍ରିୟାରେ ତିନିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସାମିଲ କରିବା ନିଷ୍ପତ୍ତି ନେବାରେ ଅଧିକ ସମୟ ନେବା କାରଣରୁ ଭାଇରସ ବା ଭୂତାଣୁ ବିପଜ୍ଜନକ ଭାବେ ମ୍ୟୁଟେସନ୍ ହୋଇ ବା ତାହାର ରୂପ ବଦଳାଇ ଏବେ ସଂକ୍ରମଣ ବଢାଇ ଚାଲିଛି ।
ଏବେ ସଦ୍ୟତମ ଘଟଣାରେ ସରକାର ଟିକା ନିର୍ମାଣକାରୀ କମ୍ପାନିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ସରକାର ସାର୍ବଜନୀନ ଟୀକାକରଣ ଘୋଷଣା କରିଛନ୍ତି, 18 ବର୍ଷରୁ ଅଧିକ ସମସ୍ତେ ଟିକା ନେଇପାରିବେ ବୋଲି ଅନୁମତି ଦେଇଛନ୍ତି । 45 ବର୍ଷ ଏବଂ ତହିଁରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ପାଇଁ ଟିକାକରଣ ଦାୟିତ୍ବ କେନ୍ଦ୍ର ସରକାର ନିଜେ ନେଇଥିବା ବେଳେ ଅବଶିଷ୍ଟ ବୟସ ବର୍ଗର ଲୋକଙ୍କ ଟୀକାକରଣ ଦାୟିତ୍ବ ରାଜ୍ୟ ସରକାର ଏବଂ ଘରୋଇ ଉଦ୍ୟୋଗ ହାତରେ ଛାଡ଼ି ଦେଇଛନ୍ତି । ଚାକିରୀ ସୁଯୋଗ ନଥିବାରୁ ଲୋକେ ଆର୍ଥିକ ଦୂରବସ୍ଥା ଦେଇ ଗତି କରୁଛନ୍ତି । ରାଜସ୍ବ ଅନେକାଂଶର କମିବା କାରଣରୁ ରାଜ୍ୟ ସରକାରମାନେ ମଧ୍ୟ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ କେନ୍ଦ୍ର ସରକାର ନିଜ ହାତ ସଫାସୁତୁରା କରି ବସିଯିବା ସମ୍ପୂର୍ଣ୍ଣ ଅଯୌକ୍ତିକ । ଗଚ୍ଛିତ ଟିକା ପରିମାଣ ସୀମିତ ଥିବାରୁ ଉଭୟ ଥିବା ବାଲା ଏବଂ ନଥିବା ବାଲା ରାଜ୍ୟ ଟିକା ପାଇବା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏପରି ପ୍ରତିଦ୍ବନ୍ଦ୍ବିତା ଦେଶର ସଂଘୀୟ ବ୍ୟବସ୍ଥାକୁ ଆଘାତ କରୁଛି । ଯଦି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଦାନ ଏବଂ ଟିକା ଉତ୍ପାଦନ ନିଶ୍ଚିତ ନକରିବେ ତେବେ ଦେଶରେ ବଢି ଚାଲିଥିବା କୋଭିଡ୍ ମୃତ୍ୟୁକୁ ରୋକିବା ସମ୍ଭବ ହୋଇପାରିବ କି?