ୱାଶିଂଟନ: କୋରୋନା ମହାମାରୀର ଭାଇରସ ପ୍ରକୃତିରୁ କିମ୍ବା ଲ୍ୟାବରେ କୌଣସି ଦୁର୍ଘଟଣାରୁ ସୃଷ୍ଟି ହୋଇଛି । କୌଣସି ସଂକ୍ରମିତ ଜୀବର ସଂସ୍ପର୍ଶରେ ଆସିଥିବା ଲୋକଠାରୁ ଏହି ଭାଇରସ ବ୍ୟାପିଛି ବୋଲି ଆମେରିକା ବୁଦ୍ଧିଜୀବୀ ମହଲ ପକ୍ଷରୁ ଗୁରୁବାର କୁହାଯାଇଛି ।
କୋରୋନା ସଠିକ ଉତ୍ପତ୍ତିସ୍ଥଳ ସମ୍ପର୍କରେ ବୁଦ୍ଧିଜୀବୀ ମହଲ ଜାଣିନଥିବା ବେଳେ ଏହି 2ଟି ଉପାୟରେ ଏହାର ଉତ୍ପତ୍ତି ହୋଇଥାଇପାରେ ବୋଲି ଷ୍ଟ୍ରାଟେଜିକ୍ ଯୋଗାଯୋଗ ପାଇଁ ନ୍ୟାସନାଲ ଇଣ୍ଟେଲିଜେନ୍ସର ସହକାରୀ ନିର୍ଦ୍ଦେଶକ ଅମଣ୍ଡା ସ୍କୋଚ୍ କହିଛନ୍ତି । ଭାଇରସ କେତେବେଳେ, କେଉଁଠାରୁ ଓ କିପରି ଉତ୍ପତ୍ତି ହୋଇଛି ସେ ସମ୍ପର୍କରେ ସେ ସ୍ପଷ୍ଟୀକରଣ ଦେଇନାହାନ୍ତି । କିନ୍ତୁ ଏହି 2ଟି ପ୍ରକ୍ରିୟାରେ ଭାଇରସ ଉତ୍ପତ୍ତି ହୋଇଥାଇପାରେ ବୋଲି ସେ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ବୁଦ୍ଧିଜୀବୀ ମହଲକୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ପରିଶ୍ରମକୁ ଦ୍ବିଗୁଣ କରି 90 ଦିନ ମଧ୍ୟରେ ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ରିପୋର୍ଟ ଦାଖଲ କରିବା ପାଇଁ ସେ କହିଥିଲେ । ଏହାପରେ ବୁଦ୍ଧିଜୀବୀ ମହଲ ସମସ୍ତ ଉପଲବ୍ଧ ପ୍ରମାଣକୁ ଯାଞ୍ଚ କରିବା, ବିଭିନ୍ନ ଦୃଷ୍ଟିକୋଣକୁ ବିଚାର କରିବା ଏବଂ ଭାଇରସର ଉତ୍ପତ୍ତି ସ୍ଥଳକୁ ଚିହ୍ନଟ କରିବା ପାଇଁ ନୂତନ ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ କରିବା ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଛି ।
ଗତ 2019 ମସିହାର ଶେଷ ବେଳକୁ ଚୀନର ଉହାନ ସହରଠାରେ କୋରୋନା ମହାମାରୀ ଭାଇରସକୁ ଚିହ୍ନଟ କରାଯାଇଥିଲା । ଏହି ସମୟରେ ବିଶ୍ବରେ 168 ମିଲିୟନ ବା 16 କୋଟି 80 ଲକ୍ଷ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 3.5 ମିଲିୟନ ବା 35 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା । କୋରୋନା ଭାଇରସର ଉତ୍ପତ୍ତିସ୍ଥଳ ବର୍ତ୍ତମାନ ବିଶ୍ବରେ ଆଲୋଚନାର ବିଷୟବସ୍ତୁ ହୋଇଥିବା ବେଳେ ଲ୍ୟାବରେ କେମିକାଲ ଦୁର୍ଘଟଣା କାରଣରୁ ଏହି ଭାଇରସ ସୃଷ୍ଟି ହୋଇଥାଇପାରେ ବୋଲି ଅଧିକ ଆକଳନ କରୁଛନ୍ତି ।
ଚୀନର ବାୟୋଲ୍ୟାବରୁ ଏହି ଭାଇରସ ସୃଷ୍ଟି ହୋଇଛି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବାସ କରନ୍ତି । କିନ୍ତୁ ଚୀନ ଏହାକୁ ଖଣ୍ଡନ କରିଛି । ଚୀନର କହିବା ଅନୁସାରେ କୋରୋନା ମହାମାରୀ ବିଶ୍ବର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବେଳେ ଚୀନ ପ୍ରଥମେ ଏହି ଭାଇରସର ରିପୋର୍ଟ କରିଥିଲା ।
@PTI