ଲକ୍ଷ୍ନୌରେ କୋଭିଡ-19 ମୃତ୍ୟୁ ଘଟଣା ଅନେକ ଅସମାହିତ ପ୍ରଶ୍ନ ଛିଡ଼ା କରିଛି । ବିଳମ୍ବିତ ରାତି ଯାଏଁ ମୃତଦେହ ସଂସ୍କାର କରାଯାଉଛି । କୋରୋନା ସହିତ ଲଢି ଯେଉଁମାନଙ୍କର ଜୀବନ ଯାଉଛି ସେମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏସବୁ ଘଟଣା କୋଭିଡ-19 ମୃତ୍ୟୁ ନେଇ ସରକାରୀ ସ୍ତରରେ ଦିଆଯାଉଥିବା ତଥ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋରୋନାରେ ଯଦି କମ୍ ମୃତ୍ୟୁ ହେଉଥିବା ସରକାରୀ ରିପୋର୍ଟରେ ଦର୍ଶାଯାଉଛି ତେବେ ଏତେ ସଂଖ୍ୟାରେ ମୃତଦେହ ସଂସ୍କାର ପାଇଁ ଶ୍ମଶାନ ଘାଟକୁ ଆସୁଛି କାହିଁକି ? କୋରୋନା ବ୍ୟତୀତ ଲୋକଙ୍କ ଜୀବନରେ ଆଉ କ’ଣ ସବୁ ଘଟୁଛି !
ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ଏକ ପ୍ରସିଦ୍ଧ ପଂକ୍ତି ରହିଛି – କିତନା ହୈ ବଦନସିବ ଜାଫର ଦଫନ କେ ଲିଏ/ଦୋ ଗଜ ଜମିନ ଭି ନା ମିଲି କୁ-ଏ-ୟାର ମେ । ବାହାଦୂର ଶାହ ଜାଫର ଯେତେବେଳ ଏହି ପଂକ୍ତି ଲେଖିଥିଲେ, ସେତେବେଳେ କେହି ବି ଭାବିନଥିବେ ଲକ୍ଷ୍ନୌରେ ଏହା ବାସ୍ତବରେ ପରିଣତ ହେବ । ଉତ୍ତର ପ୍ରଦେଶର ରାଜଧାନୀ ନଗରୀ ଲକ୍ଷ୍ନୌରେ କୋରୋନା ସଂକ୍ରମଣ ଅତ୍ୟନ୍ତ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଗୁରୁବାର ଦିନ କୋରୋନା ଭାଇରସରେ 5183 ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିଲେ । ସରକାରୀ ତଥ୍ୟ ଅନୁଯାୟୀ 26 ଜଣ ବ୍ୟକ୍ତି ସେମାନଙ୍କର ଜୀବନ ହାରିଛନ୍ତି । ହେଲେ ସହରର ଦୁଇଟି ଶ୍ମଶାନ ଘାଟରେ ରାତିସାରା ମୃତଦେହ ଦାହ କରାଯାଉଥିବା ଦେଖିବାକୁ ମିଳିଥିଲା, ଅନ୍ୟପକ୍ଷରେ 108ଟି ମୃତଦେହ କବର ଦିଆଯାଇଥିଲା । ଅନ୍ୟୁନ 60ଟି ମୃତଦେହ ସହରର ବିଭିନ୍ନ କବରଖାନାରେ ଅନ୍ତିମ ସଂସ୍କାର କରାଯାଇଛି ।
କହିବା ଅନାବଶ୍ୟକ ଯେ, ଉତ୍ତର ପ୍ରଦେଶ ରାଜଧାନୀରେ ସରକାରୀ ହିସାବରେ ଯେତିକି ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି ତାହାର ପ୍ରାୟ ସାତ ଗୁଣା ଅଧିକ ମୃତଦେହ ଅନ୍ତିମ ସଂସ୍କାର କରାଯାଇଛି । ଶ୍ମଶାନ ଘାଟ ଏବଂ କବରସ୍ତାନଗୁଡ଼ିକରେ ଅନ୍ତିମ ସଂସ୍କାର ପାଇଁ ମୃତଦେହ ଗୁଡ଼ିକର ଲମ୍ବା ଲାଇନ୍ ଦେଖି କୋରୋନାରେ ପ୍ରକୃତରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ପ୍ରକାଶିତ ସରକାରୀ ତଥ୍ୟ କେତେଦୂର ସଠିକ୍ ସେ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଜାତ ହେଉଛି । ଦ୍ବିତୀୟ ପ୍ରଶ୍ନ ହେଉଛି କୋରୋନା ରୋଗୀ ହସ୍ପିଟାଲ ଯାଉଛନ୍ତି କି ନାହିଁ ତାହା ଜଣାପଡୁନାହିଁ । ଏ କ୍ଷେତ୍ରରେ ସେମାନଙ୍କର ସଠିକ୍ ପରୀକ୍ଷା କରାଯାଉନାହିଁ। ଏସବୁ କାରଣରୁ ସରକାରୀ ମୃତ୍ୟୁସଂଖ୍ୟା ପ୍ରକୃତ ସ୍ଥିତିଠାରୁ ଯଥେଷ୍ଟ କମ୍ ରହୁଛି ।
ଲକ୍ଷ୍ନୌ ସିଟି କମିଶନର ଅଜୟ ଦ୍ବିବେଦୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ସହରର ଭୈସା କୁଣ୍ଡ ଏବଂ ଗୁଲାଲା ଘାଟରେ 108ଟି ମରଶରୀର ଅନ୍ତିମ ସଂସ୍କାର କରାଯାଇଛି । ଶ୍ମଶାନ ଘାଟ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା କଥା, ଆଜିକାଲି ଶ୍ମଶାନର ସ୍ଥାନ ଅଭାବ କାରଣରୁ ପ୍ଲାଟଫର୍ମ ଏବଂ ଖାଲି ପଡିଥିବା ଅନ୍ୟ ସ୍ଥାନଗୁଡିକରେ ସଂସ୍କାର କାର୍ଯ୍ୟ ସମାପନ ହେଉଛି । କେବଳ ଶ୍ମଶାନଘାଟ ଗୁଡ଼ିକରେ ମୃତଦେହ ସଂଖ୍ୟା ବଢିନାହିଁ, କବରସ୍ତାନ ଗୁଡ଼ିକରେ ମଧ୍ୟ ମୃତଦେହ କବର ଦେବା ପାଇଁ ଲମ୍ବା ଲାଇନ ଲାଗୁଛି । କବରସ୍ତାନ କମିଟିର ଇମାନ ଅବଦୁଲ ମାଟିନ୍ କହିଛନ୍ତି ଯେ, ଛୋଟ ବଡ଼ ମିଶାଇ ଲକ୍ଷ୍ନୌରେ ମୋଟ 100ଟି କବରସ୍ତାନ ରହିଛି । ସାଧାରଣ ଦିନରେ ଦୈନିକ ପାଞ୍ଚରୁ ଛଅ ଜଣ ବ୍ୟକ୍ତିଙ୍କୁ ସମାଧି ଦିଆଯାଇଥାଏ । ବର୍ତ୍ତମାନ ହାରାହାରୀ ଦୈନିକ 60ରୁ 70 ଜଣଙ୍କୁ ସମାଧି ଦିଆଯାଉଛି । ସୁନିଙ୍କ ଦ୍ବାରା ପରିଚାଳିତ ଆଇସାବାଗ ଏବଂ ତାଲକୋଟ୍ରାରେ ସିହା ପରିଚାଳିତ କାରବାଲା ସମାଧିସ୍ଥଳକୁ ମଧ୍ୟ ଅନେକ ମୃତଦେହ ନିଆଯାଇଥିଲା ।
ସମାଧି ଖୋଳିବାକୁ ଦାବି
ଗୁରୁବାର ଦିନ ସହରର ଜଣେ ଅଧିବାସୀ ଆଦନାନ ଦାନିସଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ସେ ତାଙ୍କ ନିକଟ ସମ୍ପର୍କୀୟଙ୍କ ସହ ପିତାଙ୍କର ମୃତଦେହ ଅନ୍ତିମସଂସ୍କାର କରିବା ପାଇଁ ଆଇସାବାଗ ସମାଧିସ୍ଥଳରେ ପହଞ୍ଚିଥିଲେ । ଆଦନାନ କହିଛନ୍ତି ଯେ, ଅଚାନକ ମୃତ୍ୟୁସଂଖ୍ୟା ବଢିଥିବାରୁ ଜଣଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି । ଗୋଟିଏ ସମାଧି ଖୋଳିବା ପାଇଁ ସାଧାରଣତଃ 800 ଟଙ୍କା ପଡ଼େ । ସମାଧି ଖୋଳୁଥିବା ଲୋକେ ଏବେ ଗୋଟିଏ ସମାଧି ପାଇଁ 1500ରୁ 2500 ଟଙ୍କା ଯାଏଁ ଦାବି କରୁଛନ୍ତି । ଦୁଃଖର କଥା ହେଉଛି, ଯିଏ ଅଧିକ ଟଙ୍କା ଦେବ ତା ପାଇଁ ପ୍ରଥମେ ସମାଧି ଖୋଳାଯାଉଛି । ଫଳରେ କମ୍ ଟଙ୍କା ଦେଉଥିବା ଅନ୍ୟମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି ।
ମରଶରୀର ନେବା ପାଇଁ ମନଇଚ୍ଛା ଆଦାୟ
ଆଦନାନ ଦାନିସ୍ କହିଛନ୍ତି ଯେ, ତାଙ୍କ ପିତାଙ୍କର ଏକ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିଲା। ସେଠାରୁ ଆଇସାବଗ କବରସ୍ତାନ ମାତ୍ର ଏକ କିଲୋମିଟର ଦୂର । ସେ ଯେତେବେଳେ ତାଙ୍କ ପିତାଙ୍କର ମର ଶରୀର ମେଡିକାଲ କଲେଜରୁ କବରସ୍ତାନକୁ ନେବା ପାଇଁ ସେ ଯେଉଁ ଗାଡ଼ି ବୁକ୍ କରିଥିଲେ ସେଥିପାଇଁ ତାଙ୍କୁ ଗାଡିବାଲା 2200 ଟଙ୍କା ଦାବି କରିଥିଲେ । ବାଧ୍ୟ ବାଧକତାରେ ତାଙ୍କୁ ଏହି ଟଙ୍କା ଦେବାକୁ ପଡିଥିଲା ।
କବରସ୍ତାନରେ ସ୍ଥାନ ଅଭାବ ସଂକଟ ନାହିଁ
କବରସ୍ତାନ କମିଟିର ଇମାମ ଅବଦୁଲ ମାଟିନ୍ କହିଛନ୍ତି ଯେ, ଏତେ ସଂଖ୍ୟାରେ ମୃତଦେହ ସମାଧି ପରେ ବି ଲକ୍ଷ୍ନୌର କବରସ୍ତାନଗୁଡ଼ିକରେ ସ୍ଥାନର କୌଣସି ଅଭାବ ନାହିଁ। କବରସ୍ତାନରେ ଅନେକ କବର ବହୁ ପୁରୁଣା ହୋଇଗଲାଣି । ମୃତଦେହ ସମାଧି କରିବା ପାଇଁ ଅନେକ ଖାଲି ସ୍ଥାନ ରହିଛି ।
ଖ୍ରୀଷ୍ଟିଆନ କବରସ୍ତାନରେ 15 ଦିନରେ 15 ଜଣଙ୍କୁ ସମାଧି ଦିଆଯାଇଛି
ଲକ୍ଷ୍ନୌରେ ବିଗତ 15 ଦିନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର 15 ଜଣ ବ୍ୟକ୍ତିଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଫାଦର ଜନ୍ ଡି’ସୁଜା କହିଛନ୍ତି ଯେ, କୋରୋନା ସଂକ୍ରମଣ କ୍ରମଶଃ ବଢିଚାଲିଛି । ଯେତେବେଳେ ଜଣେ କୋରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ହୁଏ ଏବଂ ତାଙ୍କୁ ସମାଧି ପାଇଁ ଅଣାଯାଏ, ସେହି କ୍ଷେତ୍ରରେ ମୃତକଙ୍କ ସମାଧି ପାଇଁ କେବଳ ମାତ୍ର 5 ଜଣ ଲୋକଙ୍କୁ କବରସ୍ତାନ ଭିତରେ ପ୍ରବେଶକୁ ଅନୁମତି ଦିଆଯାଉଛି ।
କିଛି ତଥ୍ୟ
* ଗୁରୁବାର ଦିନ ଲକ୍ଷ୍ନୌରେ କୋରୋନାରେ 26 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ 108 ଡଣଙ୍କ ମୃତଦେହ ଅନ୍ତିମସଂସ୍କାର କରାଯାଇଥିଲା ।
* ଲକ୍ଷ୍ନୌର 100ଟି କବରସ୍ତାନରେ ହାରାହାରୀ 5ରୁ 7ଟି ଶବ ପୋତାଯାଉଥିଲା । ଏବେ ପ୍ରାୟ 60ଟି ଶବବ ଆସୁଛି ।
* ସମାଧି ଖୋଳିବାବାଲା ପ୍ରତି ସମାଧି ପାଇଁ ଏବେ 1500ରୁ 2500 ଟଙ୍କା ଦାବି କରୁଛନ୍ତି, ଯାହାକି ପୂର୍ବରୁ 800 ଟଙ୍କା ଦେବାକୁ ପଡୁଥିଲା ।
* ଶ୍ମଶାନଘାଟକୁ ଶବ ନେବା ପାଇଁ ମାତ୍ର ଗୋଟିଏ କିଲୋମିଟର ପାଇଁ 2200 ଟଙ୍କା ଦାବି କରୁଛନ୍ତି ।
* ଲକ୍ଷ୍ନୌରେ ବିଗତ 15 ଦିନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର 15 ଜଣ ବ୍ୟକ୍ତିଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ।