ହାଇଦ୍ରାବାଦ: କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ । ଭାରତ ବାୟୋଟେକର ଟୀକା କୋଭାକ୍ସିନକୁ ଜରୁରୀକାଳୀନ ମାନ୍ୟତା ଦେବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇପାରେ ।
ସେପଟେ ଖୁବ ଶୀଘ୍ର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ WHO ଅନୁମୋଦନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଗଳା । ଏହା ପ୍ରଶାସନିକ କିମ୍ବା ରାଜନୈତିକ ପ୍ରକ୍ରିୟା ନୁହେଁ, ବରଂ ଏହା ଏକ ଟେକ୍ନିକାଲ ପ୍ରକ୍ରିୟା | ବୈଷୟିକ କମିଟି ଭାରତ ବାୟୋଟେକ ଦାଖଲ କରିଥିବା ଡାଟାର ମୂଲ୍ୟାଙ୍କନ କରାଯାଉଛି । ତେବେ ଖୁବ ଶୀଘ୍ର ଏହାକୁ ମାନ୍ୟତା ମିଳବ ବୋଲି ବୈଦେଶିକ ସଚିବ କହିଛନ୍ତି ।
ଏହାପୂର୍ବରୁ ଅକ୍ଟୋବର ୫ରେ WHO ଏବଂ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଆସନ୍ତା ସପ୍ତାହରେ ବିପଦ ଓ ଲାଭ ଆକଳନ କରିବା ଏବଂ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା ପ୍ରଦାନ କରାଯିବ କି ନାହିଁ ତାହା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି ବୋଲି ଅନ୍ତରାଷ୍ଟ୍ରୀୟ ଜନସ୍ବାସ୍ଥ୍ୟ ପାଇଁ ଜାତିସଂଘ ଏଜେନ୍ସି ସିରିଜ ଟ୍ବିଟରେ ସୂଚନା ଦେଇଥିଲା । ଭରତ ବାୟୋଟେକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ତଥ୍ୟ ଦାଖଲ କରିଛି ଏବଂ 27 ସେପ୍ଟେମ୍ବରରେ ଡବ୍ଲ୍ୟୁଏଚଓର ଅନୁରୋଧ କ୍ରମେ ଅତିରିକ୍ତ ସୂଚନା ଦାଖଲ କରାଯାଇଛି ବୋଲି ଟ୍ବିଟରେ ଉଲ୍ଲେଖ ରହିଥିଲା ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କୋଭାକ୍ସିନକୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଦେଇପାରେ ବୋଲି ସୂଚନା ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସିନକୁ ୫ ଅକ୍ଟୋବର ସୁଦ୍ଧା WHO ଅନୁମୋଦନ ଦେଇପାରେ ବୋଲି କୁହାଯାଉଥିଲା ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ସୂଚୀରେ ତାଲିକାଭୁକ୍ତ କରାଯାଇନାହିଁ । ଅନୁମୋଦନ ପ୍ରାପ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ । ତେବେ ଆସନ୍ତା ସପ୍ତାହ କୋଭାକ୍ସିନକୁ WHO ମଞ୍ଜୁରୀ ଦେଇପାରେ ବୋଲି ସ୍ପଷ୍ଟ ହୋଇଛି । କୋଭାକ୍ସିନର ଜରୁରକାଳୀନ ବ୍ୟବହାର ପାଇଁ ଟେକ୍ନୋଲୋଜି ବିଶେଷଜ୍ଞ ସମୀକ୍ଷା କରୁଛନ୍ତି ।