ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ବିଦେଶ ଫେରନ୍ତା ଦମ୍ପତିଙ୍କ ଠାରୁ ୪୫ଟି ବନ୍ଧୁକ ଜବତ ହୋଇଛି । କଷ୍ଟମ ଯାଞ୍ଚ ବେଳେ ଦମ୍ପତିଙ୍କ ବ୍ୟାଗରୁ ବନ୍ଧୁକଗୁଡିକ ମିଳିଛି । ଜବତ ବନ୍ଧୁକଗୁଡିକର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ଅନୁମାନ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ଦମ୍ପତିଙ୍କୁ କଷ୍ଟମ ଅଧିକାରୀ ଗିରଫ କରିଛନ୍ତି । ସେମାନେ ହେଲେ ଜଗଜିତ ସିଂହ ଏବଂ ଜଶୱିନ୍ଦର କୌର । ଏହି ଦମ୍ପତି ଭିଏତନାମାରୁ ଆସି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏହି ଦମ୍ପତି ଗତ ସୋମବାର ଦିନ ଭିଏତନାମାର ହୋ ଚି ମିନିହ(Ho Chi Minh) ସହରରୁ ଦିଲ୍ଲୀ ଆସିଥିଲେ । ବିମାନ ବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଦୁଇଟି ଟ୍ରଲି ବ୍ୟାଗରେ ୪୫ଟି ବନ୍ଧୁକ ଥିବା ଜଣାପଡିଥିଲା । ବନ୍ଧୁକଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୋଲି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ସୁନିଶ୍ଚିତ କରିଥିଲା । ସେମାନଙ୍କୁ ପଚରାଉଚରାରୁ ଜଣାପଡିଥିଲେ ଯେ, ପ୍ୟାରିସରୁ ଫେରିଥିବା ଜଗଜିତଙ୍କ ବଡ ଭାଇ ମନଜିତ ସିଂହ ତାଙ୍କୁ ଏହି ବ୍ୟାଗ ଦେଇ ଫେରାର ହୋଇଯାଇଥିଲେ । ଏହି ଦମ୍ପତି ଆହୁରି ମଧ୍ୟ ସ୍ବୀକାର କରିଛନ୍ତି ଯେ, ପୂର୍ବରୁ ସେ ତୁର୍କୀରୁ ଭାରତକୁ ୨୫ଟି ବନ୍ଧୁକ ଚୋରାଚାଲାଣ କରିଥିଲେ । ବର୍ତ୍ତମାନ ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।