ହାଇଦ୍ରାବାଦ: ପାରିବାରିକ କଳହର କରୁଣ ପରିଣତି । ଛାଡ଼ପତ୍ର ନଦେବାରୁ ପତ୍ନୀର ଗଳାକାଟି ନିର୍ମମ ଭାବେ ହତ୍ୟା କଲା ସୈତାନ ସ୍ବାମୀ । ଏପରିକି ନିଜ ୧୪ ବର୍ଷର ପୁଅକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିବା ବେଳେ ସେ ଗଭୀର ଭାବେ ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ହାଇଦ୍ରାବାଦ ସ୍ଥିତ ବନସ୍ଥଳୀପୁରମରେ । ହତ୍ୟାକାରୀ ଜଣକ ପୋଲିସ କନଷ୍ଟେବଳ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସୂର୍ଯ୍ୟପେଟ ଜିଲ୍ଲାର ମୁନାଗାଲା ଅଞ୍ଚଳ ବାସିନ୍ଦା କୁଞ୍ଚମ ରାଜକୁମାର ୨୦୧୦ରେ ସ୍ବତନ୍ତ୍ର ସୁରକ୍ଷା ବଳ (SPF)ରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ୧୫ ବର୍ଷ ପୂର୍ବେ ଶୋଭା ନାମକ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ଏକ ୧୪ ବର୍ଷ ଏବଂ ୧୦ ବର୍ଷର ଦୁଇ ପୁଅ ମଧ୍ୟ ରହିଛନ୍ତି । ଅନେକ ସମୟରେ ବିଭିନ୍ନ କାରଣକୁ ନେଇ ଦାମ୍ପତ୍ୟ କଳି ଲାଗି ରହୁଥିଲା । ସ୍ବାମୀ ବାରମ୍ବାର ପତ୍ନୀଙ୍କୁ ନିର୍ଯାତନା ଦେଉଥିବାରୁ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାସହ ପୋଲିସ ଅଧିକାରୀମାନେ ରାଜକୁମାରଙ୍କୁ ପରାମର୍ଶ ଦେଇଥିଲେ । ଗତ ଚାରିବର୍ଷ ପୂର୍ବେ ସେ ନିଜ ପରିବାର ସହ ବନସ୍ଥଳୀପୁରମକୁ ସ୍ଥାନାନ୍ତର ହୋଇଥିଲେ । ସେ ଅନେକ ସମୟରେ ମଦ୍ୟପାନ କରି ପତ୍ନୀଙ୍କୁ ମାରପିଟ କରିବା ସହ ଛାଡପତ୍ର ଦେବାକୁ ବାଧ୍ୟ କରୁଥିଲେ । ଦୁଇ ତିନିଦିନ ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଶୋଭା ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ । ଏହି ଘଟଣା ନେଇ ପୋଲିସ ଅଧିକାରୀମାନେ ଜାଣିଲେ, ରାଜକୁମାରଙ୍କୁ ଡାକି ବୁଝାଶୁଝା କରିଥିଲେ । ଏହାପରେ ଶୋଭା ମଧ୍ୟ ଘରକୁ ଫେରିଥିଲେ ।
ଶୁକ୍ରବାର ସକାଳେ କାର୍ଯ୍ୟରୁ ଘରକୁ ଫେରି ପତ୍ନୀଙ୍କ ସହ ଝଗଡ଼ା କରିଥିଲେ ରାଜକୁମାର । ତାଙ୍କୁ ଛାଡପତ୍ର ଦେବାପାଇଁ ବାଧ୍ୟ କରିଥିଲେ । ଶୋଭା ଏଥିରେ ରାଜି ନହେବାରୁ ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ଏକ ଛୁରୀରେ ଅତି ନିର୍ମମ ଭାବେ ତାଙ୍କ ଗଳା କାଟି ଦେଲେ । ୧୪ ବର୍ଷୀୟ ପୁଅ ଘଟଣାସ୍ଥଳରେ ପହଞ୍ଚି ମାଆଙ୍କୁ ବଞ୍ଚାଇବାକୁ ଯାଇ ରାଜକୁମାରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ସେ ରାଗିଯାଇ ପୁଅକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ରାଜକୁମାର । ଆହତ ଅବସ୍ଥାରେ ସେଠାରୁ ଖସି ପଳାଇ ଥାନାରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଶୋଭାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି କାଣ୍ଡ ଭିଆଇବା ପରେ ହତ୍ୟାକାରୀ ସ୍ବାମୀ ଫେରାର ଥିବା ସୂଚନା ମିଳିଛି । ଘଟଣାରେ ସ୍ବତନ୍ତ୍ର ଟିମ୍ ସାହାଯ୍ୟରେ ଅଭିଯୁକ୍ତକୁ ଖୋଜା ଯାଉଥିବା ପୋଲିସ କହିଛି ।