ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । କର୍ଣ୍ଣାଟକର ୨୨୪ଟି ଆସନ ପାଇଁ ମଇ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମଇ ୧୩ ତାରିଖରେ ଫଳଫଳ ପ୍ରକାଶ ପାଇବ । ନିର୍ବାଚନରେ ତାରିଖ ଘୋଷଣା ହେବା ମାତ୍ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ପ୍ରତିକ୍ରିୟା ଦେଇ ବିଜେପି ଉପରେ ଶାଣିତ ଆକ୍ରମଣ କରିଛନ୍ତି । ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଖଡଗେ କହିଛନ୍ତି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ଜଣେ ଟାଣୁଆ ନେତାଙ୍କୁ ବାଛିବ ଏବଂ ଅଧିକ ଭୋଟରେ ଜିତି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଡଗେ କହିଛନ୍ତି, "ବିଧାନସଭା ନିର୍ବାଚନୀ ପ୍ରଚାରରେ କଂଗ୍ରେସର ଶକ୍ତିଶାଳୀ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମୈଦାନକୁ ଓହ୍ଲାଇବେ । ଯାହା ଫଳରେ ପ୍ରଚାର ପାଇଁ ଦଳୀୟ କର୍ମୀଙ୍କ ଶକ୍ତି ଯୋଗାଇବ । ଦୁର୍ନୀତିରେ ଲିପ୍ତ ଥିବା ବିଜେପି ସରକାରଙ୍କ ଅସଲି ମୁଖା ଖୋଲିବାକୁ କଂଗ୍ରେସ ସର୍ବଦା ଉଦ୍ୟମ ଜାରି ରଖିଛି । ଦଳୀୟ ନେତାକର୍ମୀମାନେ ବୁଥ ସ୍ତରରେ କାର୍ଯ୍ୟ କରୁଛନ୍ତି । ତେଣୁ ଚଳିତ ନିର୍ବାଚନରେ କଂଗ୍ରେସର ଜିତିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ କ୍ରମାଗତ ଭାବେ କର୍ଣ୍ଣାଟକ ପଠାଉଛନ୍ତି । ଏଥିସହ ସେ ନିଜେ ଏବଂ ଗୃହମନ୍ତ୍ରୀ ବାରମ୍ବାର ଗସ୍ତ କରୁଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "କର୍ଣ୍ଣାଟକେ କଂଗ୍ରେସ ଏକ ଶକ୍ତିଶାଳୀ ଦଳ । ତେଣୁ ଏଥର ନିର୍ବାଚନରେ କଂଗ୍ରେସ ଲୋକଙ୍କ ବିଶ୍ବାସ ଜିତି ଭୋଟ ହାତେଇବ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ଥିର କରାଯିବ । ବିଜୟୀ ବିଧାୟକଙ୍କ ମତାମତ ନେବାପରେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ ଯେ କିଏ ମୁଖ୍ୟମନ୍ତ୍ରୀ ହେବେ । କଂଗ୍ରେସ କେତୋଟି ବିଧାନସଭାରେ କଂଗ୍ରେସ ଜିତିବ ତାହା ଘୋଷଣା କରିପାରିବି ନାହିଁ, କିନ୍ତୁ ମୁଁ କହିପାରେ ଯେ ଦଳ ହିଁ ଜିତିବ । ଅନ୍ୟପଟେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଶାଣିତ ଆକ୍ରମଣ କରି ବାସଭରାଜ ବୋମ୍ମାଇ ସରକାର ଉପରେ ବର୍ଷିଛନ୍ତି । ଯଦି ଏହା ପୂର୍ବରୁ ସେ ଇସ୍ତଫା ଦେବେ, ତେବେ ରାଜ୍ୟ ପାଇଁ ଭଲ ।"
ଅନ୍ୟପଟେ ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ନେତୃତ୍ବ ନେଉଥିବା କହି ସମାଲୋଚନା କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ବିରୋଧୀ ନେତାଙ୍କ ପଛରେ ଲଗାଇ ନିଜେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ମେଣ୍ଟର ନେତୃତ୍ବ ନେଉଥିବା କହି ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, କର୍ଣ୍ଣାଟକରେ ୪୦ ପ୍ରତିଶତ ସରକାର ଅଛନ୍ତି । ପ୍ରତ୍ୟେକ ବିଧାୟକଙ୍କ ପାଖରେ ୮ରୁ ୧୦ କୋଟି ଅଛି । କିନ୍ତୁ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ । "ପ୍ରଧାନମନ୍ତ୍ରୀ ନିଜେ ଦୁର୍ନୀତିଗ୍ରସ୍ତ । ଦେଶ ଲୁଟ କରୁଥିବା ଲୋକଙ୍କ ବିରୋଧରେ ସେ କୌଣସି ପଦକ୍ଷେପ ନେଉନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଧର୍ମ କେବଳ ଅନ୍ୟମାନଙ୍କୁ ଅପମାନିତ କରିବା ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଆତ୍ମ-ଚିନ୍ତନ କରନ୍ତୁ । କର୍ଣ୍ଣାଟକ ସରକାର କାହିଁକି ୪୦ ପ୍ରତିଶତ କମିଶନ ମାମଲାରେ ଅଭିଯୁକ୍ତ ହୋଇଛି ? ଭାରତୀୟ ଜନତା ପାର୍ଟିର '୪୦ ପ୍ରତିଶତ କମିଶନ' ସରକାରରୁ ରାଜ୍ୟକୁ ମୁକ୍ତ କରିବା ପାଇଁ କଂଗ୍ରେସ ଦଳ ପ୍ରତିଶୃତି ନେଇଥିବା ଖଡଗେ କହିଛନ୍ତି ।