ଗୌହାଟୀ/କୋଲକାତା: ଆସାମ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ରିପୁନ ବୋରା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ବୋରା ଆଜି ଦଳ ଛାଡିଥିବାବେଳେ ଟିଏମସି ସାଂସଦ ତଥା ଦଳୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଛନ୍ତି । ପୂର୍ବରୁ ବୋରା ଆସାମରେ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବାବେଳେ ରଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ ।
ଏପରି ନିଷ୍ପତ୍ତି ପରେ ସେ ନିଜର ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ଟ୍ବିଟ କରି ସୂଚନା ମଧ୍ୟ ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ପ୍ରଦେଶ କଂଗ୍ରେସର କିଛି ନେତା ଶାସକ ବିଜେପି ଓ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଗୁପ୍ତ ଯୋଗାଯୋଗରେ ରହିଥିବା ମଧ୍ୟ ସେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।
ଆଜି ବୋରା ତାଙ୍କ ପତ୍ନୀ ଓ ପୁଅଙ୍କ ସହ କୋଲକାତାରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ଅଭିଷେକ ବୋରାଙ୍କୁ ଔପଚାରିକ ଭାବେ ଦଳକୁ ସ୍ବାଗତ ମଧ୍ୟ କରିଥିଲେ । ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଟିଏମସି ସାଂସଦ ଦେରେକ ଓବିରେନ ଏବଂ ସୁସ୍ମିତା ଦେବ ମଧ୍ୟ ଉପସ୍ଥିତ ଥିଲେ । ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ପରିବାରକୁ ବୋରାଙ୍କୁ ସ୍ବାଗତ ବୋଲି ଅଭିଷେକ ବାନାର୍ଜୀ ଟ୍ବିଟ ମଧ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ