ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ମଝିରେ 3 ମାସ ବାକିଥିବା ବେଳେ ଏବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନିଜ ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ଅଙ୍କ ସ୍ପଷ୍ଟ କରିବା ସବୁଠାରୁ ଅଧିକ ରୋଚକ ହେବାକୁ ଯାଉଛି । ଏହା ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ଭାଗ ଉପରେ ସମସ୍ତଙ୍କ ନଜର ରହିଛି । ମାତ୍ର କଂଗ୍ରେସ ଆସନ ବୁଝାମଣା ପୂର୍ବରୁ 5ଶହ ଲୋକସଭା କ୍ଷେତ୍ରରେ ସର୍ଭେ କରିବା ନେଇ ସୂଚନା ମିଳିଛି । ମୋଟ ସଂସଦୀୟ ଆସନ 543 ରୁ 500 ରେ ଅନୁଧ୍ୟାନ କରିବା ପାଇଁ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବାକୁ ଯାଉଛି ।
ଦଳ ଏନେଇ କିଛି ଘୋଷଣା କରିନଥିବା ବେଳେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ବିଭିନ୍ନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ପ୍ରାୟ 5 ଶହ ଆସନରେ ସର୍ଭେ କରିବା ପାଇଁ ପଠାଇବ । ଏହି ସବୁ ଆସନ ମାନଙ୍କରେ ଦଳର ସାଙ୍ଗଠନିକ ସ୍ଥିତି ଓ ବିଜୟ ସମ୍ଭାବନାକୁ ବିଚାର କରି ପର୍ଯ୍ୟବେକ୍ଷକମାନେ ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ରୋପୋର୍ଟ ପ୍ରଦାନ କରିବେ । ଯାହା ଦଳକୁ ଆସନ ଚୟନ କରିବାରେ ସହାଯ୍ୟ କରିବ । ନିର୍ବାଚନକୁ କମ ସମୟ ଥିବା କାରଣରୁ ଖୁବଶିଘ୍ର ଦଳ ଏନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ :- ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ଲୋଗୋ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଦଳ 48 ରୁ ଆସନରୁ 23 ଆସନରେ ପ୍ରାର୍ଥୀ ଦେବା ସମ୍ପର୍କରେ ସହଯୋଗୀ ଶିବସେନା ଉଦ୍ଧବ ଗୋଷ୍ଠୀ ଓ NCP କୁ ଅନୌପଚାରିକ ଭାବେ ଅବଗତ କରିଛି । ସେହିପରି ଦଳ ପଶ୍ଚିମବଙ୍ଗରେ 12/42 ସମ୍ଭାବ୍ୟ ଆସନ ଓ ବିହାରରେ 12/40 ଆସନ ଚିହ୍ନଟ କରି ସାରିଛି । ସେହିଭଳି ସର୍ବବୃହତ୍ତ ରାଜ୍ଯ ଉତ୍ତର ପ୍ରଦେଶରେ ନେତାମାନେ 15/80 ଟି ଆସନ ଦାବି କରିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।
2019 ରେ, କଂଗ୍ରେସ ସାରା ଦେଶରେ ପ୍ରାୟ 421 ଟି ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ମାତ୍ର 52 ଟି ଜିତିବାରେ ସଫଳ ହୋଇଥିଲା । ବିହାରରେ ଆରଜେଡି, ଝାଡଖଣ୍ଡରେ ଶାସନରେ ଥିବା ଜେଏମଏମ, ତାମିଲନାଡୁର ଡିଏମକେ, କର୍ଣ୍ଣାଟକର ଜେଡିଏସ ଓ ମହାରାଷ୍ଟ୍ରର ଏନସିପି ସହଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲା । ତେବେ ଚଳିତ ନିର୍ବାଚନରେ 28 ଦଳ ମିଶି ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି। କଂଗ୍ରେସ ହାତରେ ଏପର୍ଯ୍ୟନ୍ତ ମେଣ୍ଟର ନେତୃତ୍ବ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ