ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ରଦ୍ଦ ହେଲା ଲୋକସଭା ସାଂସଦ ସଦସ୍ୟତା । 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ସୁରଟ ସେସନ କୋର୍ଟ ୨ବର୍ଷର ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ଏହାପରେ ଆଜି ଲୋକସଭା ସଚିବାଳୟରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ନୋଟିସ ଜାରି ହୋଇଛି । ରାହୁଲ କେରଳ ୱାୟନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ରହିଥିଲେ ।
![Rahul Gandhi Disqualified](https://etvbharatimages.akamaized.net/etvbharat/prod-images/18072717_one.png)
ସୁରତ ସେସନ କୋର୍ଟ ରାୟ ଶୁଣାଇବା ବେଳେ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀଙ୍କୁ କମ ସଜ୍ଜା ଦିଆଯାଉଛି, ତେବେ ଏହା ସମାଜ ପ୍ରତି ଏକ ଭୁଲ ବାର୍ତ୍ତା ଯିବ । କୋର୍ଟ ନିଜ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମଧ୍ୟ ଦୋହରାଇଥିଲେ । ୨୦୧୮ ମସିହାରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯେଉଁଥିରେ ସେ କହିଥିଲେ 'ଚୌକିଦାର ହେଉଛନ୍ତି ଚୋର' । ଏହି ମାମଲାରେ ତାଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ । ରାହୁଲ ଏହି ମାମଲାରେ କ୍ଷମା ପ୍ରାର୍ଥନା କରିଥିଲେ ।
ମାତ୍ର 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟରେ କ୍ଷମା ପ୍ରାର୍ଥନା କରିନଥିଲେ । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୪ବର୍ଷ ତଳେ ଅର୍ଥାତ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ? ଏହାପରେ ସେ ଲଳିତ ମୋଦି, ନୀରବ ମୋଦିଙ୍କୁ ଉଦାହରଣ ସଜାଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଏହା ବିରୋଧରେ ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ କୋର୍ଟଙ୍କ ଦ୍ବାରସ୍ଥ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
ଏହା ବି ପଢନ୍ତୁ- Rahul Convicted: ଚାଲିଯିବ କି ରାହୁଲଙ୍କ ସଦସ୍ୟତା ? କଣ ରହିଛି ନିୟମ ଜାଣନ୍ତୁ
ଏଇଠି ଜାଣିରଖନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ସାଂସଦଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥାଏ । ୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ବିଧାୟକ ତଥା ସାଂସଦ ଦୁଷ୍କର୍ମ, ସମ୍ବିଧାନର ଅପମାନ, ଶତ୍ରୁତା (ଭାଷା, ଧର୍ମ ତଥା ଅଞ୍ଚଳକୁ ନେଇ), ଆତଙ୍କୀ ଗତିବିଧିରେ ସାମିଲ ରୁହନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ଏପରି ସ୍ଥିତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଂସଦ ତଥା ବିଧାୟକ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଏହି ଆଇନର ଧାରା ୮(ବି)ରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ସାଂସଦ ତଥା ବିଧାୟକ ଯୌତୁକ, କଳା ବଜାର ତଥା ବେଆଇନ ଲାଭ ଉଠାଇବା ଭଳି ଅପରାଧରେ ସାମିଲ ରୁହନ୍ତି ଏବଂ ତାଙ୍କୁ ୬ମାସରୁ ଅଧିକ ସଜ୍ଜା ଶୁଣାଯାଏ, ତେବେ ସେ ନିଜର ସଦସ୍ୟତା ହରାଇବେ ।
ଧାରା ୮ରେ ମଧ୍ୟ ଉଲ୍ଲେଖ ରହିଛି ଯେ ଅନ୍ୟ ଅପରାଧ ଲାଗି ଯଦି ସାଂସଦ ବା ବିଧାୟକଙ୍କୁ ୨ବର୍ଷରୁ ଅଧିକ ସଜ୍ଜା ମିଳେ, ତେବେ ତାଙ୍କ ସଦସ୍ୟତା ରଦ୍ଦ କରାଯିବ ସହ ସେ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ସୁରତ ସେସନ କୋର୍ଟଙ୍କ ଏହି ରାୟ ଆସିବା ପରେ ଲୋକସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇ ରାହୁଲଙ୍କ କେରଳ ୱାୟାନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ପଦକୁ ରଦ୍ଦ କରାଯାଇଛି । ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାରତକୁ ଅପମାନିତ କରିଛନ୍ତି । ଏଣୁ ତାଙ୍କର ସାଂସଦ ସଦସ୍ୟତା ରଦ୍ଦ ହୋଇଥିବା ନେଇ ଅନେକ ବିଜେପି ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି ।