ନୂଆଦିଲ୍ଲୀ: ବିହାରରେ ଦଳର ପରାଜୟ ପରେ ତାମିଲନାଡୁ ଓ ଆସାମ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । 2021ରେ ଆସାମ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦୁଇ ରାଜ୍ୟର ନେତାଙ୍କ ସହିତ କଥା ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ଭର୍ଚୁଆଲ ବୈଠକରେ ରାହୁଲ ଦୁଇ ରାଜ୍ୟର କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରିବେ । ଦୁଇ ରାଜ୍ୟର ଦଳର ସ୍ଥିତି ସମ୍ପର୍କରେ ରାହୁଲ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହାସହ ଆଗାମୀ ନିର୍ବାଚନ ପାଇଁ ଦଳ କିପରି ନିଜକୁ ପ୍ରସ୍ତୁତ କରୁଛି ସେନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।
ସେହିପରି ଦୁଇ ରାଜ୍ୟରେ ଦଳ କାହା ସହିତ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ସେନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହାୟତା ଲୋଡିପାରନ୍ତି ରାହୁଲ । ଅନ୍ୟପଟେ ବିଜେପି ନିର୍ବାଚନ ପାଇଁ ତାର ରଣନୀତି ଆରମ୍ଭ କରିଥିବାବେଳେ କଂଗ୍ରେସ ପଛରେ ପଡିଯାଇଥିବାର ଚର୍ଚ୍ଚା ହେଉଥିଲା । ତେବେ ରାହୁଲଙ୍କ ଏହି ବୈଠକ ପରେ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବୋଲି ସୂଚନା ମିଳୁଛି ।
ସୂଚନା ଥାଉକି, ଆସାମ ଓ ତାମିଲନାଡୁରେ 2021 ମସିହାରେ ବିଧାନସଭା ନିର୍ବାଚନ ହେବ । ଯାହାକୁ ନେଇ ଉଭୟ ଦଳ ନିଜ ନିଜ ରଣନୀତିରେ ଲାଗିଛନ୍ତି ।