ନୂଆଦିଲ୍ଲୀ: ଭିନ୍ନ ବିଚାର ଧାରା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଗୁଜର ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ଆଜାଦ କହିଛନ୍ତି, ଆମକୁ ଆମ ମୂଳ ବିନମ୍ରତାକୁ ଭୁଲିଯିବା ଉଚିତ ନୁହେଁ ।
ଗୁଲାମନବୀ ଆଜାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କଠାରୁ ଅନେକ କଥା ଶିଖିବାର ଆବଶ୍ୟକତା ରହିଛି । ସେ ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି ସତ, ହେଲେ ନିଜ ମୂଳକୁ ଭୁଲି ନାହାନ୍ତି । ଏଣୁ ମୋଦି ନିଜକୁ ଗର୍ବର ସହ ଚା' ବାଲା କହୁଛନ୍ତି । ଆଜାଦ ଆହୁରି ମଧ୍ୟ କହିଛନ୍ତି, ମୋର ନରେନ୍ଦ୍ର ମୋଦିଙ୍କ ସହ ରାଜନୈତିକ ମତଭେଦ ରହିଛି । ହେଲେ ପ୍ରଧାନମନ୍ତ୍ରୀ ମାଟି ସହ ଜଡିତ ବ୍ୟକ୍ତିତ୍ବ ।
ନିକଟରେ ଗୁଲାମନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିଛି । ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ ଗୁଲାମନବୀ । ଆଜାଦଙ୍କୁ ବିଦାୟ ଦେଇ ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।