ଶ୍ରୀନଗର: ଆସନ୍ତା 24 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ଜାମ୍ମୁକାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି(ମଙ୍ଗଳବାର)ଜାମ୍ମୁ କାଶ୍ମୀରର ବିଜେପି ନେତା ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜନେତାମାନଙ୍କ ସହିତ ଏକ ବୈଠକ ବସିବ ।
ସୁତ୍ରରୁ ପ୍ରକାଶ ଯେ, ସମସ୍ତ ବରିଷ୍ଠ ବିଜେପି ନେତାମାନଙ୍କ ମଧ୍ୟରେ ଗୁରୁତ୍ବପୂ୍ର୍ଣ୍ଣ ବୈଠକ ବସିବ । ସର୍ବଦଳୀୟ ବୈଠକରେ କାଶ୍ମୀରର କେଉଁ କେଉଁ ବିଷୟ ଉପସ୍ଥାପନ ହେବ ସେ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ସର୍ବଦଳୀୟ ବୈଠକରେ ଭାଗ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରବିବାର ଦିନ ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଟେଲିଫୋନ୍ ଯୋଗେ ନିମନ୍ତ୍ରଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତାମାନଙ୍କୁ ଟେଲିଫୋନ୍ କଲ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀ ଶୁକ୍ରବାର ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଲେଫ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଅଗଷ୍ଟ 2019 ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦ ର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ସବୁଠାରୁ ଆଉ ଏକ ବଡ ପଦକ୍ଷେପ । କାରଣ ଧାରା 370 ଉଚ୍ଛେଦ ପରଠାରୁ ଏଭଳି କୌଣସି ବୈଠକ ହୋଇନଥିଲା । ଯଦିଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବିଭିନ୍ନ ସମୟରେ ଆସି ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, କିନ୍ତୁ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବାକୁ ଯାଉଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକ ପାଇଁ ଏନସି, ପିଡିପି, ଜାମ୍ମୁ କାଶ୍ମୀର ଅପନୀପାର୍ଟି, କଂଗ୍ରେସ, ବିଜେପି ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ନିର୍ବାଚନ ପାଇଁ ହୋଇପାରେ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ଜଣାପଡିବା ପରେ ଜାମ୍ମୁ କାଶ୍ମୀରରେ ଥିବା ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି ।
(ANI)