ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଅଭିଯାନ ଆରମ୍ଭ କରିବା ସହ ବିଭିନ୍ନ ପ୍ରତିଶୃତି ମାଧ୍ୟମରେ ବିଭିନ୍ନ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି 4ର୍ଥ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଦଳ ପୂର୍ବରୁ 3ଟି ଗ୍ୟାରେଣ୍ଟି ଘୋଷଣା କରିସାରିଥିବା ବେଳେ ଆଜି ଘୋଷଣା କରିଥିବା 4ର୍ଥ ଗ୍ୟାରେଣ୍ଟିର ଫୋକସରେ ରହିଛନ୍ତି ଯୁବଗୋଷ୍ଠୀ । ରାଜ୍ୟରେ ବେରୋଜଗାର ଯୁବଗୋଷ୍ଠୀଙ୍କ ପାଇଁ ଦଳ ଆଣିବ ‘ଯୁବା ନିଧି’ ଯୋଜନା । ଯାହା ଅନ୍ତର୍ଗତ ବେରୋଜଗାର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ମାସିକ 3 ହଜାର ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ ।
ଆଜି(ସୋମବାର) ଦଳ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ସମେତ ଅନ୍ୟ କିଛି କେନ୍ଦ୍ରୀୟ ଓ ପ୍ରାଦେଶିକ ନେତା ମଧ୍ୟ ଉପସ୍ଥିତ ଥିଲେ । ଦଳ ଘୋଷଣା କରିଛି, ରାଜ୍ୟରେ ସ୍ନାତକ ପାସ୍ କରି ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଯୁବଗୋଷ୍ଠୀଙ୍କ ପାଇଁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ 3 ହଜାର ଓ ଡିପ୍ଲୋମା ପାସ୍ ଯୁବଗୋଷ୍ଠୀଙ୍କୁ 15 ଶହ ଟଙ୍କାର ଭତ୍ତା ମିଳିବ ।
ଏହା ପୂର୍ବରୁ କଂଗ୍ରେସ ଅନ୍ୟ 3ଟି ଗ୍ୟାରେଣ୍ଟି ଘୋଷଣା କରିସାରିଛି । ପ୍ରତି ପରିବାରର ମୁଖ୍ୟଙ୍କୁ ମାସିକ 2 ହଜାର ଟଙ୍କାର ସହୟତା ସହ ପରିବାର ପିଛା ମାସିକ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଣ ଓ 10 କେଜି ଚାଉଳ ଦେବା ପାଇଁ ଘୋଷଣା କରିସାରିଛି ଦଳ । ଆଜି ଚତୁର୍ଥ ଗ୍ୟାରେଣ୍ଟି ଭାବେ ଯୁବଗୋଷ୍ଠୀଙ୍କୁ ଫୋକସ କରିଛି ଦଳ । ରାଜ୍ୟରେ ଶିକ୍ଷିତ ତଥା ବେକାରୀ ଯୁବଗୋଷ୍ଠୀଙ୍କୁ ଆର୍ଥିକ ପ୍ରତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
ସେହିପରି ରାହୁଲ ଗାନ୍ଧୀ ଏହି ଗ୍ୟାରେଣ୍ଟି ଘୋଷଣା କରିବା ସହ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଉପରେ ବର୍ଷିଛନ୍ତି । ରାଜ୍ୟରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ବୋଲି ରାହୁଲ କହିଛନ୍ତି । ରାଜ୍ୟର ଜଣେ କଣ୍ଟ୍ରାକ୍ଟର ଦୁର୍ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏବେ ସୁଦ୍ଧା ଏହି ଅଭିଯୋଗ ନେଇ ପ୍ରଧାନମନ୍ତ୍ରୀ କୌଣସି ପ୍ରତିଉତ୍ତର ଦେଲେନି ବୋଲି ରାହୁଲ କହିଥିଲେ ।
ରାଜ୍ୟରେ ବର୍ତ୍ତମାନ ସରକାର 40 ପ୍ରତିଶତ ପିସି କାରବାରରେ ଲିପ୍ତ ଥିବା କହି ରାହୁଲ ବୋମ୍ମାଇ ସରକାରକୁ ଘେରିଥିଲେ । ଲୋକେ ଏବେ ବିଜେପିକୁ ଏକ ଦୁର୍ନୀତିଗ୍ରସ୍ତ ଦଳ ଭାବେ ଜାଣି ସାରିଲେଣି । ଭାରତ ଯୋଡୋ ଯାତ୍ରାରେ ସେ ବିଭିନ୍ନ ରାଜ୍ୟର ଲୋକଙ୍କଠାରୁ ଏହି ମତାମତ ପାଇଥିବା ରାହୁଲ କହିଥିଲେ । ସେହିପରି ସେ ଆଦାନୀ ପ୍ରସଙ୍ଗ ଉଠାଇ ମଧ୍ୟ ମୋଦି ସରକାରକୁ ଘେରିଛନ୍ତି । ଦେଶ କେବଳ ଜଣେ କିମ୍ବା ଦୁଇ ଜଣଙ୍କର ନୁହେଁ, ଦେଶ ସମସ୍ତଙ୍କର । ଦେଶ କେବଳ ଆଦାନୀଙ୍କର ନୁହେଁ ବରଂ କୃଷକ, ମହିଳାଙ୍କର ବୋଲି ରାହୁଲ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ