ପାଟନା: ବିହାରରେ ବିଷାକ୍ତ ମଦ ପିଇ ୩୨ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଛଟ ପୂଜା ପରେ ସମସ୍ତ ବିଷୟରେ ବିସ୍ତୃତ ଭାବରେ ସମୀକ୍ଷା କରାଯିବ ବୋଲି ନୀତିଶ କହିଛନ୍ତି ।
ବିଷାକ୍ତ ମଦକୁ ନେଇ ନୀତିଶ କୁମାର ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରତିଦିନ ରାଜ୍ୟରେ ମଦମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ମଦକୁ ନିଷେଧ କରାଯାଇଛି କିନ୍ତୁ ସଚେତନତାର ଆବଶ୍ୟକତା ରହିଛି। ରାଜ୍ୟରେ ମଦ କାରବାରକୁ ବନ୍ଦ କରାଯିବା ସହ ସରକାର ଚଢାଉ ସହ ଧରପଗଡ ଜାରି ରଖିଛନ୍ତି। କିନ୍ତୁ କିଛି ଅସାଧୁ ବିଷାକ୍ତ ମଦ ପ୍ରସ୍ତୁତ କରି ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବର୍ତ୍ତମାନ ଏହି ଘଟଣାରେ ତୀକ୍ଷ୍ମ ନଜର ରଖିଛନ୍ତି ସରକାର। ମଦମୃତ୍ୟୁର ଶିକାର ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନୀତିଶ କୁମାର । ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବାବେଳେ ସରକାର ସମସ୍ତ ଘଟଣା ସମନାକୁ ଆଣିବା ପାଇଁ ଚେଷ୍ଟା କରିବେ।
ତେବେ ଏହାକୁ ନେଇ ଆଗାମୀ ଦିନରେ ବିହାର ସରକାର କଠୋର ପଦକ୍ଷେପ ଗ୍ରହଣ କରିବ । ବିଶେଷ କରି ଛଟ ପୂଜା ଶେଷ ହେବା ପରେ ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରାଯିବ ଏବଂ ବିଷାକ୍ତ ମଦ ବନ୍ଦ କରିବା ଦିଗରେ କଠୋର ପଦକ୍ଷେପ ନିଆଯିବ। ଏହା ସହ ମଦ ବନ୍ଦକୁ ରୋକିବା ପାଇଁ ବିଶେଷ ଅଭିଯାନ ଚଳାଯିବ ବୋଲି ନୀତିଶ କହିଛନ୍ତି ।
ଗତକାଲି ଦୀପାବଳି ଅବସରରେ ବିହାରରେ ଗୋପାଳଗଞ୍ଜ ଓ ଦକ୍ଷିଣ ଚମ୍ପାରନ ଜିଲ୍ଲାରେ ବିଷାକ୍ତ ମଦ ପିଇ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଜଣ ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ଥିବା ଲୋକେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସୂଚନାଥାଉକି ବିହାରରେ ୨୦୧୬ରୁ ମଦ ନିଷେଧ ଆଇନ ଲାଗୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ