ଚଣ୍ଡିଗଡ଼: ମକର ସଂକ୍ରାନ୍ତି ପରେ ଗାଁଗଣ୍ଡାରେ ଗୁଡି ଉଡାଣ ପର୍ବ ଆରମ୍ଭ ହୋଇଥାଏ । ତେବେ ଏହି ଖୁସିର ମୁହୂର୍ତ୍ତରେ ପଞ୍ଜାବ ଲୁଧିଆନାରେ ଘଟିଛି ଅଭାବନୀୟ ଘଟଣା । ମାଞ୍ଜା ସୂତା ମୁହଁରେ ଲାଗିଯିବା ଫଳରେ ଜଣେ ୪ବର୍ଷୀୟ ଶିଶୁକୁ ଗଭୀର ଆଘାତ ଲାଗିଛି । ଶିଶୁର ମୁହଁ କଟିଯିବା ଫଳରେ ଅପରେସନ ସମୟରେ ପ୍ରାୟ ୧୨୦ଟି ଷ୍ଟିଚ ପଡ଼ିଥିବା ଜଣାପଡ଼ିଛି । ଗତ ଜାନୁଆରୀ ୮ ତାରିଖରେ ଘଟିଛି ଏହି ଅଘଟଣ । ଏହାପରେ ପଞ୍ଜାବ ପୋଲିସ ମାଞ୍ଜା ସୂତା ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ କଟକଣା ଲାଗୁ କରିଛି ।
ମକର ସଂକ୍ରାନ୍ତି ଅବସରରେ ବଜାରରେ ମାଞ୍ଜା ସୂତା ବିକ୍ରି ହୋଇଥାଏ । ଏଥିଲାଗି ଉଜ୍ଜୈନ ପୋଲିସ ବିଭିନ୍ନ ଦୋକାନରେ ମଧ୍ୟ ଚଢାଉ କରିଥିଲା । ଏହା ସତ୍ତ୍ବେ ୪ବର୍ଷର ଶିଶୁ ମାଞ୍ଜା ସୂତା ଦ୍ବାରା ଆହତ ହୋଇଛି । ଏହି ଶିଶୁ ଜଣକ ଲୁଧିଆନାର ନର୍ସରୀ ଛାତ୍ର ହରଜିତ ବୋଲି ଜଣାପଡ଼ିଛି । ଏହି ଶିଶୁଟି କତାନା ସାହିବ ଯାଉଥିବା ସମୟରେ ଆକାଶରେ ଗୁଡ଼ି ଉଡୁଥିବା ଦେଖି କାର ଝରକା ପଟେ ମୁହଁ କାଢି ଦେଖୁଥିଲା । ଏହି ସମୟରେ ଅନ୍ୟ ଏକ ମାଞ୍ଜା ସୂତା ତା ମୁହଁରେ ଲାଗିଯିବା ଫଳରେ ଶିଶୁଟି ଆହତ ହୋଇଥିଲା । ଏହାପରେ ହରଜିତକୁ ରକ୍ତାକ୍ତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ବି ପଢନ୍ତୁ- Old Woman Raped: ୯୨ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଉକ୍ତ ଘରୋଇ ହସ୍ପିଟାଲରୁ ହରଜିତକୁ MC ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଶିଶୁର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଥିଲେ । ଏହାପରେ ଶିଶୁର ସଙ୍ଗେସଙ୍ଗେ ଅପରେସନ ହୋଇଥିଲା । ଅପରେସନ ବେଳେ ଶିଶୁ ମୁହଁରେ ୧୨୦ଟି ଷ୍ଟିଚ୍ ପଡିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଗତ ଶନିବାର ଗୁଜୁରାଟ ଓ ଉତ୍ତରାୟନରେ ମାଞ୍ଜା ସୂତାରେ ବେକ କଟିଯିବା ଯୋଗୁଁ ଜଣେ ୩ବର୍ଷୀୟ ଝିଅ ଓ ୩୫ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଗୁଜୁରାଟ ମେହସାନା ଜିଲ୍ଲାରେ ୩ବର୍ଷୀୟ ଶିଶୁ କ୍ରୀଷ୍ମା ଥାକୋର ନିଜ ମାଆ ସହିତ ବିସନଗର ସହର ଆଡ଼କୁ ଚାଲିଯାଉଥିବା ସମୟରେ ଘଟିଥିଲା ଏହି ଅଘଟଣ ।
ଅନ୍ୟ ଏକ ଅଘଟଣରେ ସ୍ୱାମିଜୀ ଯାଦବ ଭଦୋଦାର ସହରର ଚନ୍ନି ଅଞ୍ଚଳକୁ ବାଇକ ଯୋଗେ ଯାଉଥିବା ସମୟରେ ଏକ ମାଞ୍ଜା ସୂତା ତାଙ୍କ ବେକରେ ଲାଗିଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁଜୁରାଟରେ ଏହି ପର୍ବ ପ୍ରମୁଖ ହୋଇଥିବାରୁ ଅନେକ ଗୁଡ଼ି ଉଡାଇଥାନ୍ତି । ଗୁଡି ସୂତାରେ ଅନେକ ଆହତ ହୋଇଥିବା ଯୋଗୁଁ ୧୦୮ ଜରୁରୀକାଳୀନ ସେବାକୁ ଯୋଗାଯୋଗ କରିଥିବା ଏହାର ଅଧିକାରୀ ସୂଚନା ଦେଇଥିଲେ । ଏହାସହିତ ଗୁଡି ଉଡାଉଥିବା ସମୟରେ ଅସାବଧାନତା ଯୋଗୁଁ କିଛି ବ୍ୟକ୍ତି ଛାତରୁ ଖସି ପଡ଼ିଥିବା ମଧ୍ୟ ସୂଚନା ମିଳିଥିଲା ।