ନୂଆଦିଲ୍ଲୀ: ପାକିସ୍ତାନକୁ ୨୫ଟି ଅତ୍ୟାଧୁନିକ J-10C ଲଢୁଆ ବିମାନ ଯୋଗାଇବ ଚୀନ । ପାକିସ୍ତାନ ବାୟୁଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ଚୀନ ପାକିସ୍ତାନ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତି ଅନୁସାରେ ଚୀନ ଏହି ସହାୟତା କରିବା ପାଇଁ ଏହି ନିଷ୍ପତ୍ତି ହୋଇଥିବା ଏକ ତଥ୍ୟରୁ ଜଣାପଡିଛି ।
ବ୍ରିଟେନର ଫାଇନାନ୍ସ ଟାଇମ ନାମକ ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଚୀନର ଚେଙ୍ଗୁଡୁ ଏରୋସ୍ପେସ କର୍ପୋରେସନ (Chengdu Aerospace Corporation) ଦ୍ବାରା ନିର୍ମିତ ଏହି ଅତ୍ୟାଧୁନିକ ଲଢୁଆ ବିମାନର ଉଡାଣ ପରୀକ୍ଷଣ ଶେଷ ହୋଇଛି । ଏହାକୁ ପାକିସ୍ତାନକୁ ହସ୍ତାନ୍ତର କରାଯିବା ପୂର୍ବରୁ ପାକିସ୍ତାନ ବାୟୁସେନାର ପାଇଲଟମାନଙ୍କୁ ସେଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବା ପରେ ସେମାନେ ଏହି ବିମାନକୁ ପାକିସ୍ତାନ ଅଭିମୁଖେ ଉଡାଣ ଭରିବେ ।
ଅନ୍ୟପଟେ ପାକିସ୍ତାନର ରାଜଧାନୀ ଇସଲମାବାଦରେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବ ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ସମୟ ତଥା ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ବିମାନ ପାକିସ୍ତାନକୁ ହସ୍ତାନ୍ତର କରିପାରେ ଚୀନ । ତେବେ ପାକିସ୍ତାନ ବାୟୁସେନା ପକ୍ଷରୁ ଏହାର ଏହି ବିମାନର ଛବି ମଧ୍ୟ ପ୍ରକାଶିତ କରାଯାଇଛି । ଯେଉଁଥିରେ ପାକିସ୍ତାନ ବାୟୁସେନାର ଲୋଗୋ ମଧ୍ୟ ରହିଛି ।
ଅତୀତରେ ମଧ୍ୟ ଚୀନ ପାକିସ୍ତାନକୁ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ ଯୋଗାଇଥିବାର ଉଦାହରଣ ରହିଛି । ଚୀନ ପାଖରୁ ପାଇଥିବା ସାମରିକ ସହାୟତା ପାକିସ୍ତାନ ସର୍ବଦା ଭାରତ ବିପକ୍ଷରେ ବ୍ୟବହାର କରିଆସିଛି । ତେବେ ପାକିସ୍ତାନକୁ ମିଳିଥିବା ବିଦେଶୀ ସାମରିକ ସହାୟତା ଭାରତ ପାଇଁ ଚିନ୍ତାର କାରଣ ପାଟଲିଥିବା ବେଳେ ଚଳିତ ଥର ସେମିତି କିଛି ଗମ୍ଭୀର ଉଦବେଗ ମଧ୍ୟ ପ୍ରକାଶ ପାଇନାହିଁ ।
IANS