ନୂଆଦିଲ୍ଲୀ: ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଯାନ୍ତ୍ରୀକ ତ୍ରୁଟି । ଉଡାଣର ଏକ ଘଣ୍ଟା ପରେ ଚେନ୍ନାଇ ପରିବର୍ତ୍ତେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଲା ଇଣ୍ଡିଗୋ ବିମାନ । 230 ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିବା ଏହି ବିମାନ ଜରୁରୀକାଳୀନ ଅବତରଣ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଶନିବାର) ରାତିରେ ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଇଣ୍ଡିଗୋ 6E-2789 ବିମାନ ଉଡାଣ ଆରମ୍ଭ କରିଥିଲା । ମଝି ଆକାଶରେ ବିମାନଟି ଉଡୁଥିବା ବେଳେ ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଥିବା ପାଇଲଟ ଜାଣିପାରିଥିଲେ । ଏହାପରେ ବିମାନଟି ଜରୁରୀକାଳୀନ ଅବତରଣ ପାଇଁ ପୁଣି ଦିଲ୍ଲୀ ଫେରିଯିବା ନେଇ ଯାତ୍ରୀଙ୍କୁ କୁହାଯାଇଥିଲା । କିଛି ଅଘଣ ଘଟିବା ପୂର୍ବରୁ ଉଡାଣର ଏକ ଘଟଣା ପରେ ଚେନ୍ନାଇ ପରିବର୍ତ୍ତେ ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ବିମାନରେ 230ରୁ ଅଧିକ ଯାତ୍ରୀ ରହିଥିଲେ ।
ଗତ ମେ 17 ତାରିଖରେ ବେଙ୍ଗାଲୁରୁରୁ ଭୁବନେଶ୍ବର ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଟେକ୍ଅଫ୍ ନେଇପାରିଲାନି ବିମାନ । ଦୀର୍ଘ ସମୟ ଧରି ବିମାନ ଅଟକି ରହିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅନେକ ସମୟ ଧରି ଅଟକି ରହିଥିଲା ବିମାନ । ବିମାନରେ ମୋଟ 190 ଯାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ମୁମ୍ବାଇ ଫେରିଲା ଋଷିଆରେ ଫସିଥିବା ଏୟାର ଇଣ୍ଡିଆ ବିମାନ
ଗତ ମଙ୍ଗଳବାର ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସ୍କୋକୁ ଏୟାର ଇଣ୍ଡିଆ ବିମାନ ଯାତ୍ରା କରୁଥିଲା । ଏଥିରେ 216 ଯାତ୍ରୀଙ୍କ ସମେତ 16 ଜଣ କ୍ରୁ ମେମ୍ବର ଥିଲେ । ବାଟରେ ବିମାନ ଇଞ୍ଜିନରେ ଯାନ୍ତ୍ରୀକ ସମସ୍ୟା ଦେଖାଦେବାରୁ ପାଇଲଟ ଏହାକୁ ଋଷିଆ ମାଗାଡାନ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ । ଗୋଟିଏ ଦିନ ପରେ ଆଉ ଏକ ବିମାନ ଯୋଗେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପଠାଯାଇଥିଲା । ଯାନ୍ତ୍ରୀକ ତ୍ରୁଟି ପାଇଁ ପୂର୍ବ ବିମାନଟି ମଙ୍ଗଳବାର ଠାରୁ ମାଗାଡାନରେ ଫସି ରହିଥିଲା । ଯାହା ଗତକାଲି ମୁମ୍ବାଇକୁ ଫେରିଛି । ଏୟାର ଇଣ୍ଡିଆ ବିମାନର ଗୋଟିଏ ଇଞ୍ଜିନର ଅଏଲ ସିଷ୍ଟମରେ ତ୍ରୁଟି ଦେଖାଯାଇଥିଲା । ଏହାର ଯାନ୍ତ୍ରୀକ ତ୍ରୁଟି ମରାମତି ପରେ ଶନିବାର ସକାଳେ ବିମାନ ମାଗାଡନରୁ ମୁମ୍ବାଇକୁ ଉଡାଣ ଭରିଥିବା ଏୟାରଲାଇନ୍ସ ସୂଚନା ଦେଇଛି।