ନୂଆଦିଲ୍ଲୀ: ରାଇଭେସି ପଲିସି ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛି WhatsApp(ହ୍ବାଟ୍ସଆପ) । ଏହା ପୂର୍ବରୁ ହ୍ବାଟ୍ସଆପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗିଛି ବଡ ଝଟକା । ହ୍ବାଟ୍ସଆପର ପ୍ରାଇଭେସି ପଲିସିରେ କୌଣସି ପରିବର୍ତ୍ତନ ନ କରିବାକୁ ନିର୍ଦେଶ ଦେବା ସହ ଏହାର ସିଇଓଙ୍କୁ ନୋଟିସ ଜାରି କରିଛି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ।
କେନ୍ଦ୍ର ସୂଚନା ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ହ୍ବାଟ୍ସଆପର ଗ୍ଲୋବାଲ ସିଇଓ ୱିଲ କ୍ୟାଥକାର୍ଟଙ୍କୁ ଚିଠି ଲେଖି ତାଙ୍କୁ ଭାରତୀୟ ୟୁଜର୍ସଙ୍କ ପାଇଁ ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସିରେ ପରିବର୍ତ୍ତନକୁ ପ୍ରତ୍ୟାହର କରିବାକୁ କୁହାଯାଇଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ହ୍ବାଟ୍ସଆପ ସିଇଓଙ୍କୁ କୁହାଯାଇଛି ଯେ ସେ ସରକାରଙ୍କ ପକ୍ଷରୁ ପ୍ରାଇଭେସି, ଡାଟା ଟ୍ରାନ୍ସଫର ଓ ପଲିସିକୁ ନେଇ ମଗାଯାିଥିବା ସୂଚନା ଉପରେ ଜବାବ ଦିଅନ୍ତୁ ।
ମନ୍ତ୍ରଣାଳୟ ପକ୍ଷରୁ ହ୍ବାଟ୍ସଆପକୁ ପଚରାଯାଇଛି ଯେ ଯେବେ ଭାରତ ସଂସଦ ପକ୍ଷରୁ ବ୍ୟକ୍ତିଗତ ଡାଟା ସୁରକ୍ଷ ବିଲ ଉପରେ ବିଚାର କରୁଛି, ତାହେଲେ ଏଭଳି ସ୍ଥିତିରେ କଣ ପାଇଁ ଏତେ ବଡ ପରିବର୍ତ୍ତନ କରାଯାଉଛି ? ସେପଟେ ହ୍ବାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ୟୁଜର୍ସଙ୍କ କଡା ପ୍ରତିକ୍ରିୟା ମଧ୍ୟରେ ଭାରତ ସରକାର ମଙ୍ଗଳବାର କହିଛନ୍ତି, ଲୋକପ୍ରୟ ମେସେଜିଂ ଆପ ଦ୍ବାରା କରାଯାଇଥିବା ପରିବର୍ତ୍ତନ ଉପରେ ବିଚାର କରାଯାଉଛି । ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ 15 ତମ ଡିଜିଟାଲ ଶିଖର ସମ୍ମିଳନୀରେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହ ଆଲୋଚନା ସମୟରେ ରାଷ୍ଟ୍ରୀୟ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯାଉଛି ।
ଡାଟା ସୁରକ୍ଷା ଓ ଗୋପନୀୟତା ମାମଲାରେ ନିକଟରେ ଭାରତ ସମେତ ସାରା ବିଶ୍ବରେ ହ୍ବାଟ୍ସଆପର ଆଲୋଚନା ହେଉଛି । ହେଲେ ଏହାର ପ୍ଲାଟଫର୍ମରେ ପଠାଯାଉଥିବା ସନ୍ଦେଶ ସମ୍ପୂର୍ଣ୍ଣ ରୂପେ ଗୋପନୀୟ ଏବଂ ହ୍ବାଟ୍ସଆପ କିମ୍ବା ଫେସବୁକ ନିଜ ପ୍ଲାଟଫର୍ମରେ ପଠାଯାଉଥିବା ମ୍ୟାସେଜକୁ ଦେଖିପାରେ ନାହିଁ ବୋଲି ସଫେଇ ଦେଇଛି ।