ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (Commission for Air Quality Management)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ( State Specific Action Plan) କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି ।
ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି । କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ । ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି । ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ ୭ ହଜାର ୩୬ଟି ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ଏହା ଗତବର୍ଷ ସମାନ ଅବଧିରେ ହୋଇଥିବା ୬ ହଜାର ୪୬୩ଟି ଫସଲ ଅବଶେଷ ଜଳାଇବା ଘଟଣା ତୁଳନାରେ ଅଧିକ ।
ଆହୁରି ଚଳିତ ଧାନ ଉତ୍ପାଦନ ଋତୁରେ ପଞ୍ଜାବର ୬ଟି ଜିଲ୍ଲା ୭୦% ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ପଞ୍ଜାବରେ ମୋଟ ୭ହଜାର ୩୬ଟି ଘଟଣା ମଧ୍ୟରୁ ଏହି ଛଅଟି ଜିଲ୍ଲାରେ ୪ହଜାର୮୯୯ଟି ଘଟଣା ଘଟିଛି । ଏଗୁଡିକର ପାରମ୍ପରିକ ଭାବେ ହଟସ୍ପଟ ଜିଲ୍ଲା ହୋଇଥିବାରୁ ଗତ ବର୍ଷ ଏସବୁ ଜିଲ୍ଲାରେ ୬୫% ଫସଲ ଅବଶେଷ ଜାଳିବା ଘଟଣା ଘଟଥିଲା । ଗତ ଛଅ ଦିନ ମଧ୍ୟରେ ଏସବୁ ଜିଲ୍ଲାରେ ୬୧% ଫସଲ ଜାଳିବା ଘଟଣା ଦେଖିବାକୁ ମିଳିଛି ।
ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଫସଲ ଅବଶେଷ ଜଳାଇବା ଘଟଣାର ନିରାକରଣ ଓ ନିୟନ୍ତ୍ରଣ ପାଇଁ ପଞ୍ଜାବ ସରକାରଙ୍କ ପ୍ରସ୍ତୁତି ଦିଗରେ ରାଜ୍ୟ ପ୍ରଶାସନିକ କଳକୁ ସଚେତନ କରିବା ଉଦ୍ଦେଶ୍ୟରେ ୨୦୨୨ ଧାନ ବୁଣା ଋତୁର ଯଥେଷ୍ଟ ପୂର୍ବରୁ, ଅର୍ଥାତ ଫେବୃଆରୀ ୨୦୨୨ ରୁ ଆୟୋଗ କାର୍ଯ୍ୟ କରି ଆସୁଛନ୍ତି । କାର୍ଯ୍ୟ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ, ପରିବେଶ, ଶକ୍ତି ଓ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମଧ୍ୟ ଆଲୋଚନା କରି ଆସୁଛନ୍ତି ।
ଫସଲ ଅବଶେଷ ଜଳାଇବାର ନିରାକରଣ ପାଇଁ ବିଭିନ୍ନ ସମୟରେ ପଞ୍ଜାବ ସରକାରଙ୍କ ସହ ଆୟୋଗ ନଅଟି ବୈଠକ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହିତ ମଧ୍ୟ ପାଞ୍ଚଟି ବୈଠକରେ ଆଲୋଚନା ହୋଇଛି । ଫସଲ ଅବଶେଷ ପରିଚାଳନା ଏବଂ ସବୁ କୃଷି ଅଗ୍ନି ଘଟଣାରେ ଉପଯୁକ୍ତ କାର୍ଯ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କ ସହିତ କାର୍ଯ୍ୟ କରୁଛି । ହଟସ୍ପଟ ଜିଲ୍ଲା ଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ସମୀକ୍ଷା ବୈଠକ କରାଯାଉଛି । ରାଜ୍ୟ ସରକାରଙ୍କର ଏଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର ୨୦୨୨ ଅବଧି ମଧ୍ୟରେ ହରିୟାଣାରେ ମୋଟ ୧୪୯୫ଟି ଧାନ ଫସଲ ଅବଶେଷ ଜାଳିବା ଘଟଣା ଘଟିଛି । ଏହା ପୂର୍ବବର୍ଷ ଘଟିଥିବା ୨୦୧୦ଟି ଧାନ ଅବଶେଷ ଜାଳିବା ଘଟଣା ଠାରୁ ୨୬% ପ୍ରତିଶତ କମ ।