ନୂଆଦିଲ୍ଲୀ: କାନାଡା- ଭାରତ ଜାରି ରହିଥିବା କୁଟନୈତିକ ବିବାଦ ମଧ୍ୟରେ ପାଖାପାଖି 41 ଜଣ କାନାଡା କୁଟନୈତିଜ୍ଞକୁ ଭାରତରୁ ଫେରସ୍ତ ନିଆଯାଇଛି । ଏନେଇ ଗୁରୁବାର ଦିନ କାନାଡ଼ା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଘୋଷଣା କରିଛନ୍ତି । ତେବେ 41 ଜଣ କାନାଡ଼ା କୁଟନୈତିଜ୍ଞ ଓ ସେମାନଙ୍କର 42 ଜଣ ପରିବାର ଲୋକଙ୍କୁ କାନାଡ଼ା ଫେରସ୍ତ ନିଆଯାଇଛି । 2 ଦେଶ ମଧ୍ୟରେ ଚାଲିଥିବା କୁଟନୈତିକ ତିକ୍ତତା ମଧ୍ୟରେ ଏଭଳି ନିଷ୍ପତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।
କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡ଼ା ମଧ୍ୟରେ ବିବାଦ ଜାରି ରହିଛି । ଏହାମଧ୍ୟରେ ଭାରତରେ ଥିବା 62 କାନାଡ଼ା କୁଟନୈତିଜ୍ଞ ମଧ୍ୟରୁ 41 ଜଣଙ୍କୁ କାନାଡ଼ା ପ୍ରତ୍ୟାହାର କରାଯାଇଛି । ଏନେଇ ଗୁରୁବାର ଦିନ କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଘୋଷଣା କରିଛନ୍ତି । 41 ଜଣ କାନାଡ଼ା କୁଟନୈତିଜ୍ଞ ଓ ସେମାନଙ୍କର ପରିବାର ଲୋକଙ୍କୁ କାନାଡା ଫେରସ୍ତ ନିଆଯାଇଛି । ହେଲେ ଏବେବି 21 ଜଣ ନୂଆଦିଲ୍ଲୀରେ ରହିଛନ୍ତି ।
ଜୋଲି ଆଉ ମଧ୍ୟ କହିଛନ୍ତି, "ଦିଲ୍ଲୀରେ ଥିବା 21 କାନାଡା କୁଟନୈତିଜ୍ଞ ଓ ତାଙ୍କ ପରିବାରକୁ ଛାଡି ଅନ୍ୟ କୁଟନୈତିଜ୍ଞମାନଙ୍କୁ ଭାରତ ପକ୍ଷରୁ ରାଜନୈତିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ ନାହିଁ ପୂର୍ବରୁ ଭାରତ ଔପଚାରିକ ଭାବେ ଘୋଷଣା କରିଥିଲା । ଆମର କୁଟନୈତିଜ୍ଞମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରୁ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେ ଆଉ ମଧ୍ୟ କହିଛନ୍ତି, "ଭାରତର ଏଭଳି ନିଷ୍ପତି ଏକତରଫା ଥିଲା । କୁଟନୈତିକ ଅଧିକାରୀମାନଙ୍କ ଅଧିକାରକୁ ଏଭଳି ଏକପାଖିଆ ଶେଷ କରିବା ଅନ୍ତରାଷ୍ଟ୍ରୀୟ ଆଇନର ବିରୋଧ ଅଟେ । ଏହା ଭିଏନା କନଭେସନର ମଧ୍ୟ ସ୍ପଷ୍ଟ ଉଲ୍ଲଂଘନ ଅଟେ । ଏଭଳି ଅଧିକାର ଛଡାଇ ନେବା ଏକପ୍ରକାର ଧମକ କହିଲେ ଚଳେ । ଯାହା ଅନୁଚିତ ଅଟେ । ଆମେ କେବେ ଭାରତକୁ କୁଟନୈତିକ ସଂଖ୍ୟା ହ୍ରାସ କରିବାକୁ କହିବୁ ନାହିଁ । ଯଦି ଆମେ କୂଟନୈତିକ ପ୍ରତିରକ୍ଷା ନିୟମକୁ ଭାଙ୍ଗିବାକୁ ଅନୁମତି ଦେବୁ ତେବେ ପୃଥିବୀର କୌଣସି କୂଟନୀତିଜ୍ଞ ନିରାପଦରେ ରହିବେ ନାହିଁ ।"
ଏହାମଧ୍ୟ ପଢନ୍ତୁ..ଭାରତର କଠୋର ଆଭିମୁଖ୍ୟ ପରେ ନରମିଲେ ଟ୍ରୁଡୋ; କହିଲେ ଭାରତ ସହ ସ୍ଥିତି ବିଗାଡିବାକୁ ଚାହୁଁନୁ
ସେ ଆହୁରି ମଧ୍ୟ କହିଛନ୍ତି,"ଏଥିରେ କୌଣସି ପ୍ରଶ୍ନ ନାହିଁ, ଯେ ଭାରତର ନିଷ୍ପତ୍ତି ଉଭୟ ଦେଶର ନାଗରିକଙ୍କ ସେବା ସ୍ତରକୁ ପ୍ରଭାବିତ କରିବ । ଦୁର୍ଭାଗ୍ୟବଶତଃ ଚଣ୍ଡିଗଡ଼, ମୁମ୍ବାଇ ଏବଂ ବାଙ୍ଗାଲୋରରେ ଥିବା ଆମର କନସୁଲେଟରେ ଥିବା ସମସ୍ତ ବ୍ୟକ୍ତିଗତ ସେବା ଉପରେ ଆମକୁ ବିରାମ ଦେବାକୁ ପଡ଼ିବ । କାନାଡ଼ାବାସୀ ଯେଉଁମାନେ କିଛି ପରାମର୍ଶ କିମ୍ବା ସହାୟତା ଆବଶ୍ୟକ କରନ୍ତି ସେମାନେ ତଥାପି ଦିଲ୍ଲୀରେ ଆମର ହାଇ କମିଶନକୁ ଯାଇପାରିବେ । ଆଉ ମଧ୍ୟ ଫୋନ୍ ଏବଂ ଇମେଲ୍ ମାଧ୍ୟମରେ ମଧ୍ୟ ସାହାଯ୍ୟ ପାଇପାରିବେ ।
ସୂଚନା ଯୋଗ୍ୟ, 18 ସେପ୍ଟେମ୍ବରରେ ହାଉସ୍ ଅଫ୍ କମନ୍ସରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିମ୍ ଟ୍ରୁଡୋଙ୍କ ବୟାନରୁ ଆରମ୍ଭ ହୋଇଥିଲା ଭାରତ-କାନାଡା ମଧ୍ୟରେ ରାଜୈନୈତିକ ତିକ୍ତତା । କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ନେଇ ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ । ହତ୍ୟା ପଛରେ ଭାରତର କୌଣସି ହାତ ନଥିବା ଏବଂ ଯଦି ଭାରତ ଏଭଳି କରିଛି ତେବେ ସେ ସମ୍ପର୍କୀତ ପ୍ରମାଣ ଦେଖାଇବାକୁ ଭାରତ କାନାଡାକୁ କହିଥିଲା । ଏହାକୁ ନେଇ 2 ଦେଶ ମଧ୍ୟରେ ରାଜନୈତିକ ବିବାଦ ବଢି ଚାଲିଛି ।
ଏହାମଧ୍ୟ ପଢନ୍ତୁ..କୂଟନୈତିକ ବିବାଦ ମଧ୍ୟରେ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ
ପରେ ଭାରତ କାନାଡା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା । ଭାରତରୁ କାନାଡାର କୁଟନୈତିଜ୍ଞ ବେଶ ଅଧିକ ଅଛନ୍ତି । ଯେଉଁମାନେ ଦେଶର ଅନ୍ତରୀଣ ମାମଲାରେ ଦଖଲ ଦେଉଛନ୍ତି । ତେଣୁ ଯଥାଶୀଘ୍ର ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ଭାରତ ବୈଦେଶିକ ବିଭାଗ ମଧ୍ୟରୁ କୁହାଯାଇଥିଲା । ଏନେଇ ଅକ୍ଟୋବର 10 ପର୍ଯ୍ୟନ୍ତ କାନାଡ଼ା ସରକାରଙ୍କୁ ଅଲ୍ଟିମେଟମ୍ ଦିଆଯାଇଥିଲା । ଏହି ସମୟ ମଧ୍ୟରେ କାନାଡ଼ା ନିଜର 41 ଜଣ କୁଟନୈତିଜ୍ଞମାନଙ୍କୁ ଫେରାଇ ନନେଲେ ଭାରତ ପକ୍ଷରୁ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ନାହିଁ ସ୍ପଷ୍ଟ ଭାବେ କୁହାଯାଇଥିଲା । ଯାହାପରେ କାନାଡ଼ା ପକ୍ଷରୁ ସେମାନଙ୍କୁ ଫେରାଇ ନିଆଯିବାର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ