ପରିବେଶ ସଂଗଠନ ଗ୍ରୀନପିସ୍ର ଦକ୍ଷିଣପୂର୍ବ ଏସିଆ ରିପୋର୍ଟ ଅନୁସାରେ ବିଶ୍ୱର ୫ଟି ସର୍ବାଧିକ ଜନବହୁଳ ସହରରେ ୧ ଲକ୍ଷ ୬୦ ହଜାର ଲୋକ ଅସମୟରେ ପ୍ରାଣ ହରାଇଥିଲେ । ଏହାର ମୁଖ୍ୟ କାରଣ ହେଉଛି ଭୀଷଣ ବାୟୁ ପ୍ରଦୂଷଣ । ବାୟୁରେ ଅଧିକ ପରିମାଣରେ ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ( ପିଏମ ୨.୫) ର ଉପସ୍ଥିତି ଯୋଗୁଁ ଏହାn ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ଆଉ ଏଥିଯୋଗୁଁ ଅନେକ ଲୋକ ମୃତ୍ୟୁମୁଖରେ ପଡନ୍ତି । ଭାରତରେ ରାଜଧାନୀ ଦିଲ୍ଲୀ ହେଉଛି ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଅନ୍ୟତମ । ଦିଲ୍ଲୀରେ ହିଁ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ସବୁଠାରୁ ଅଧିକ । ଦିଲ୍ଲୀରେ ୫୪ ହଜାର ଲୋକଙ୍କ ବାୟୁ ପ୍ରଦୂଷଣ ଜନିତ ରୋଗରେ ମୃତ୍ୟୁ ହୋଇସାରିଲାଣି । ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟାରେ ଜାପାନ ରାଜଧାନୀ ଟୋକିଓ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୪୦ ହଜାର ଲୋକଙ୍କ ପ୍ରାଣହାନି ହୋଇଛି ।
ଗତବର୍ଷ ଟୋକଓରେ ଅଲିମ୍ପିକ୍ସ କ୍ରୀଡା ହୋଇଥାଆନ୍ତି । ତାହାକୁ ଦୃଷ୍ଟିରେ ରଖି ଜାପାନ ସରକାର ୫ ବର୍ଷ ଧରି ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବାକୁ ଚେଷ୍ଟା ଚଳାଇଥିଲେ । ତେଣୁ ଟୋକିଓରେ ବାୟୁ ପ୍ରଦୂଷଣ ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ନିହାତି ଭାବେ ଆଶ୍ଚର୍ଯ୍ୟଜନକ । ଟୋକିଓ ପରେ ସାଂଘାଇ, ସାଓପାଓଲୋ ଓ ମେକ୍ସିକୋ ସିଟିର ସ୍ଥାନ ଆସୁଛି । ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଲା ଯେ, ଉପରୋକ୍ତ ତଥ୍ୟ ସବୁ ୨୦୨୦ ମସିହାର । ଯେଉଁବର୍ଷ କି ସାରାବିଶ୍ୱ କୋଭିଡ-୧୯ ବିରୋଧରେ ସଂଘର୍ଷ କରିଥିଲା ଓ ସାମାଜିକ, ଅର୍ଥନୈତିକ କାର୍ଯ୍ୟକଳାପ ଖୁବ ସୀମିତ ଥିଲା । ଲକଡାଉନ ଯୋଗୁଁ ଗାଡି ଚଳାଚଳ ମଧ୍ୟ ବନ୍ଦ ଥିଲା । ଏସବୁ ସତ୍ତ୍ୱେ ବାୟୁ ପ୍ରଦୂଷଣ ସ୍ତର ବଢିଛି । ଗତବର୍ଷ ବେଶ କିିଛି ସମୟ ଧରି ବାୟୁ ପ୍ରଦୂଷଣ ସ୍ତର ହ୍ରାସ ପାଇଥିଲା । ପ୍ରଦୂଷଣ ମୁକ୍ତ ସମାଜ ବିଷୟରେ ଏକାଧିକ ଲେଖା ପ୍ରକାଶ ପାଇଥିଲା ।
ଗତବର୍ଷ ଗ୍ରୀନପିସ ସାଉଥଇଷ୍ଟ ଏସିଆ ଓ ସେଂଟର ଫର୍ ରିସର୍ଚ୍ଚ ଅନ ଏନର୍ଜି ଆଣ୍ଡ୍ କ୍ଲିନ ଏୟାର ପକ୍ଷରୁ ମିଳିତ ଭାବେ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ୨୦୧୮ରେ ଏକ ସମୀକ୍ଷା ଅନୁସାରେ ଜୀବାଶ୍ମ ଇନ୍ଧନ ପୋଡାହେବା କାରଣରୁ ହୋଇଥିବା ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱ ଅର୍ଥନୀତିକୁ ପ୍ରତିଦିନ ୮ ବିଲିଅନ ଆମେରିକୀୟ ଡଲାର କ୍ଷତି ସହିବାକୁ ପଡୁଥିଲା । ମାନେ ବର୍ଷକୁ ୨୯୦ ବିଲିଅନ ଆମେରିକୀ ଡଲାର, ଯାହା କି ବିଶ୍ୱ ଅର୍ଥନୀତିର ୩ ଦଶମିକ ୩ ପ୍ରତିଶତ । ଏହାଛଡା ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ବିଶ୍ୱରେ ୪ ଦଶମିକ ୫ ମିଲିଅନ ଲୋକ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଅସମୟରେ ମୃତ୍ୟୁବରଣ କରନ୍ତି । ଏଥିମଧ୍ୟରୁ ଚୀନରେ ୧୮ ଲକ୍ଷ ଓ ଭାରତରେ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଦର୍ଶାଇଥିଲା ଯେ, ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୪୨ ଲକ୍ଷ ସମୟ ପୂର୍ବରୁ ପ୍ରାଣ ହରାଇଥାନ୍ତି ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ଦିଲ୍ଲୀବାସିନ୍ଦା ନିଶ୍ୱାସ ନେବା ବେଳେ ଯେଉଁ ପରିମାଣରେ ପ୍ରଦୂଷିତ ବାୟୁ ଗ୍ରହଣ କରନ୍ତି,ତାହା ୧୦ଟି ସିଗାରେଟରୁ ବାହାରୁଥିବା ଧୂଆଁ ସହ ସମାନ । ପିଏମ ୨.୫ ପ୍ରଦୂଷଣ ଯୋଗୁଁ ବିଶ୍ୱ ଅର୍ଥନୀତି ୨ ବିଲିଅନ ଆମେରିକୀୟ ଡଲାର କ୍ଷତି ସହୁଛି । ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଯୋଗୁଁ ୩୫୦ ବିଲିଅନ ଆମେରିକୀୟ ଡଲାର ଓ ଓଜୋନ ଯୋଗୁଁ ୩୮୦ ବିଲିଅନ ଆମେରିକୀୟ ଡଲାର କ୍ଷତି ହେଉଛି । ବିଶ୍ୱବ୍ୟାପୀ ମୋଟ ମୃତ୍ୟୁସଂଖ୍ୟାର ୨୯ ପ୍ରତିଶତ ବାୟୁ ପ୍ରଦୂଷଣ ସହ ଜଡିତ ।
ଷ୍ଟେଟ୍ ଅଫ ଗ୍ଲୋବାଲ ଏୟାର ୨୦୨୦ ରିପୋର୍ଟ ଅନୁସାରେ ବିଶ୍ୱର ୫ ଲକ୍ଷରୁ ଅଧିକ ନବଜାତ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଇଥାନ୍ତି । ଆଉ ଯେଉଁମାନେ ବର୍ତ୍ତିଯାଆନ୍ତି, ସେମାନେ ବିଭିନ୍ନ ସ୍ୱାସ୍ଥ୍ୟ ଜଟିଳତାର ସମ୍ମୁଖୀନ ହୁଅନ୍ତି । ବାୟୁ ପ୍ରଦୂଷଣ ମାଆ ଗର୍ଭରେ ଥିବା ଭ୍ରୁଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ପରିଣାମ ସ୍ୱରୂପ ଅପରିପକ୍ୱ ଛୁଆ ଜନ୍ମ ନେଇଥାଏ । ଏହା ମଧ୍ୟ ନବଜାତଙ୍କ ମୃତ୍ୟୁର କାରଣ ହୁଏ । ବିକାଶଶୀଳ ଦେଶଗୁଡିକରେ ହିଁ ଏହି ମୃତ୍ୟୁ ହାର ଅଧିକ । ହେଲ୍ଥ ଇଫେକ୍ଟସ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବୟସ୍କଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ନେଇ ବିସ୍ତୃତ ଗବେଷଣା କରାଯାଇଥିଲେ ମଧ୍ୟ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ କେତେ, ତାହା ବିସ୍ତୃତ ଭାବେ ଜଣାପଡିନାହିଁ । ବାୟୁ ପ୍ରଦୂଷଣରେ ମୃତ୍ୟୁବରଣ କରୁଥିବା ମୋଟ ଶିଶୁଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଇଣ୍ଡୋର୍ପ ଲ୍ୟୁସନରେ ମୃତ୍ୟୁ ବରଣ କରିଥାନ୍ତି ।
ଭାରତ ସମେତ ସମସ୍ତ ବିକାଶଶୀଳ ଦେଶରେ ଘରେ ଭିତରେ ବାୟୁ ପ୍ରଦୂଷଣ ନେଇ କୌଣସି ଅଧ୍ୟୟନ କରାଯାଇ ନାହିଁ କି ଏଭଳି ସ୍ଥିତିର ମୁକାବିଲା ପାଇଁ କୌଣସି ଗାଇଡଲାଇନ ନାହିଁ । ଘର ଭିତରେ ବାୟୁ ପ୍ରଦୂୂଷଣର ମୁଖ୍ୟ କାରଣ ହେଉଛି ରୋଷେଇ ଘର, ଯାହା କି ଘରର ଚାରିଦ୍ୱାର ମଧ୍ୟରେ ଆବଦ୍ଧ ଥାଏ ଓ ଯେଉଁଠି କାଠ, ଘସି ଭଳି ଜୈବ ଇନ୍ଧନ ଜରିଆରେ ରୋଷେଇ ହୁଏ । ଷ୍ଟେଟ୍ ଅଫ ଗ୍ଲୋବାଲ ଏୟାର ୨୦୨୦ ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ୬୭ ଲକ୍ଷ ଲୋକ ବାୟୁ ପ୍ରଦୂଷଣର ଶୀକାର ହୋଇଥିଲେ । ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ଚତୁର୍ଥ ସର୍ବାଧିକ । ଆଫ୍ରିକା ଓ ଏସିଆ ମହାଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ନବଜାତଙ୍କ ମୃତ୍ୟୁ ହାର ସର୍ବାଧିକ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବେଟ୍ ରିଜ୍ଙ୍କ ଅନୁସାରେ ଭାରତ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାରେ ଘର ଭିତରର ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଉତ୍କଟ । ବାୟୁ ପ୍ରଦୂଷଣ ଯୋଗୁଁ ପିଲାମାନଙ୍କ ବ୍ରେନ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ ବୋଲି ସେହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଗ୍ରେଟ୍ ବ୍ରିଟେନ ଦ୍ୱାରା କରାଯାଇଥିବା ଏକ ବିସ୍ତୃତ ଅଧ୍ୟୟନ ଅନୁସାରେ ବାୟୁ ପ୍ରଦୂଷଣ ଦ୍ୱାରା ଆଖିରେ ସମସ୍ୟା ଦେଖାଯାଏ । ଏଥିଯୋଗୁଁ ଦୃଷ୍ଟିଶକ୍ତି ବି ଚାଲିଯିବା ଆଶଙ୍କା ରହିଥାଏ । ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ,ବାୟୁ ପ୍ରଦୂଷଣ ଦ୍ୱାରା ଏଜ୍ ରିଲେଟେଡ୍ମା କ୍ୟୁଲାର ଡିଜେନେରେସନ ( ଏଏମଡି ) ସୃଷ୍ଟି ହୋଇଥାଏ, ଯାହା ଦ୍ୱାରା କି ଜଣେ ଦୃଷ୍ଟିଶକ୍ତି ହରାଇବସେ । ଏଏମଡି ଦ୍ୱାରା ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ସୃଷ୍ଟି ହୁଏ । ବିଶେଷ କରି ମୋତିଆବିନ୍ଦୁ ଓ ନେତ୍ରପଟଳ ବା ରେଟିନା ଏଏମଡି ଦ୍ୱାରା କ୍ଷତିଗ୍ରସ୍ତ ହୁଏ । ଏଏମଡି ଏକ ଅନୁବଂଶୀୟ ଓ ଦୁର୍ବଳ ସ୍ୱାସ୍ଥ୍ୟଜନିତ ରୋଗ ବୋଲି ବିବେଚିତ ହୋଇ ଆସୁଥିଲା । କିନ୍ତୁ ଏହାର ମୁଖ୍ୟ କାରଣ ମଧ୍ୟରେ ବାୟୁ ପ୍ରଦୂଷଣ ଅନ୍ୟତମ ବୋଲି ଜଣାପଡିଛି । ବୈଜ୍ଞାନିକଙ୍କ ମତରେ ବଂଶାନୁକ୍ରମିକ କାରଣକୁ ନିୟନ୍ତ୍ରଣ କରିବା କଷ୍ଟକର । କିନ୍ତୁ ବାତାବରଣକୁ ବାୟୁ ପ୍ରଦୂଷଣରୁ ମୁକ୍ତ ରଖି ଏକ ଅନୁକୁଳ ସ୍ଥିତି ସୃଷ୍ଟି କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପିଏମ ୨.୫ରେ ଗୋଟିଏ ମାଇକ୍ରୋଗ୍ରାମ ପେର୍ କ୍ୟୁବିକ୍ ମିିଟର ବୃଦ୍ଧି ହେଲେ ଏଏମଡି ମାମଲା ସଂଖ୍ୟା ୮ ପ୍ରତିଶତ ବଢିବ ।
ଆଗାମୀ ପୀଢି ପାଇଁ ଆମେ କିପରି ବିଶ୍ୱ ଛାଡିଯିବା, ସେ ନେଇ ଆମେ ଆଲୋଚନା କରିଥାଉ । କିନ୍ତୁ ବାୟୁ ପ୍ରଦୂଷଣ ସ୍ତରର ଉପରଗତି ଜାରି ରହେ ,ତାହା ହେଲେ ଆଗାମୀ ପୀଢି ପାଇଁ ଭବିଷ୍ୟତ ହିଁ କିଛି ରହିବ ନାହିଁ । ଏମିତି ହିଁ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ସୃଷ୍ଟି ହୋଇ ଚାଲୁଥିବ । ତେଣୁ ଏବେଠାରୁ ହିଁ ସତର୍କତା ଓ ସାବଧାନତା ଜରୁରୀ ।
ଇନପୁଟ୍ – ମହିନ୍ଦ୍ରା ପାଣ୍ଡେ ( ଲେଖକ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକ )