ବେଙ୍ଗାଲୁରୁ: ପାର୍କ ଭିତରେ ପୂର୍ବତନ ମହିଳା କର୍ପୋରେଟରଙ୍କୁ ହତ୍ୟା । ବେଙ୍ଗାଲୁରୁ ଅଞ୍ଜନାପ୍ପା ପାର୍କରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ଚେଲାଭାଡି ପଲ୍ୟାର ପୂର୍ବତନ କର୍ପୋରେଟର ରେଖା କଦିରେଶ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ରେଖା ପାର୍କରେ ଗରିବ ଲୋକଙ୍କୁ ଖାଦ୍ୟ କିଟ୍ ବଣ୍ଟନ କରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ମାରଣାସ୍ତ୍ର ଯୋଗେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ରେଖାଙ୍କ ବେକ ଓ ମୁଣ୍ଡରେ ଖୁବ୍ ଜୋରରେ ଆଘାତ ଲାଗିଥିଲା । ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଭିକ୍ଟୋରିଆ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରେଖାଙ୍କ ମୃତ୍ୟୁ ଘଟିଥିଲା ।
ଏହି ଘଟଣାକୁ ଅନୁଧ୍ୟାନ କରିବା ପରେ ପୋଲିସ ସନ୍ଦେହ କରୁଛି ଯେ ଆଗାମୀ କର୍ପୋରେଟ ନିର୍ବାଚନକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଥାଉ କି, କିଛିଦିନ ତଳେ ରେଖାଙ୍କ ସ୍ବାମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ