ହାଇଦ୍ରାବାଦ: ସୋସିଆଲ ମିଡିଆରେ ରିଲ୍ସ ଏବଂ ୟୁଟ୍ୟୁବ୍ ସର୍ଟ ଭଳି ଭିଡିଓ ପୋଷ୍ଟ କରିବାରୁ ନିଜ ଭଉଣୀକୁ ହତ୍ୟା କରିଛି ଜଣେ ଭାଇ । ତେଲେଙ୍ଗାନାର କୋଥାଗୁଡେମ୍ ୟେଲାଣ୍ଡୁ ଅଞ୍ଚଳରେ ଏପରି ଏକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ସୋମବାର ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାର ୟେଲାଣ୍ଡୁ ମଣ୍ଡଳର ରାଜୀବ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ଭାଇର ଆକ୍ରମଣରେ ପ୍ରାଣ ହରାଇଥିବା 21 ବର୍ଷୀୟା ଯୁବତୀ ଅଜମିରା ସିନ୍ଦୁ । ସେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସିନ୍ଦୁଙ୍କ ଭାଇ ହରିଲାଲ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ବୃତ୍ତିରେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିବା ଅଜମିରା ସିନ୍ଧୁ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ । ସେ ନିୟମିତ ଫଟୋ, ଭିଡିଓ ଓ ରିଲ୍ସ ପୋଷ୍ଟ କରୁଥିଲା । ଏହା ତାଙ୍କ ଭାଇ ହରିଲାଲକୁ ଆଦୌ ପସନ୍ଦ ନଥିଲା । ସେ ବାରମ୍ବାର ଏହାକୁ ବିରୋଧ କରିବା ସହ ପୂର୍ବରୁ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଥିଲା । ଘରେ ମଧ୍ୟ ଏହି କାରଣରୁ ବାରମ୍ବାର ଭାଇ ଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଉଥିଲା । ସୋମବାର ରାତିରେ କୌଣସି ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଚିକ୍ତତା ଦେଖାଯିବା ପରେ ହରିଲାଲ ହଠାତ ଉତ୍ତେଜିତ ହୋଇ ସିନ୍ଧୁଙ୍କୁ ଏକ ପଥରରେ ଆକ୍ରମଣ କରିଥିଲା । ସେ ଏକ ପଥରରେ ସିନ୍ଦୁଙ୍କ ମୁଣ୍ଡକୁ ଆଘାତ କରିଥିଲା । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ଗୁରୁତର ଥିବା କାରଣରୁ ତାଙ୍କୁ ଓ୍ବାରଙ୍ଗଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ !
ହେଲେ ଯୁବତୀଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ପୋଲିସକୁ ଅବଗତ ନକରି ଗତକାଲି (ମଙ୍ଗଳବାର) ସକାଳେ ଶେଷକୃତ୍ଯ ସମ୍ପନ୍ନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଅନୁସନ୍ଧାନ କରିବା ପରେ ଏହା ଏକ ହତ୍ୟା ମାମଲା ହୋଇଥିବା ନେଇ ପ୍ରମାଣ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଘଟଣା ପରେ ଫେରାର ହୋଇଯାଇଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ପରିବାର ସଦସ୍ୟଙ୍କୁ ଥାନାକୁ ନେଇଛି । ଅଭିଯୁକ୍ତ ଭାଇକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ