ଲକ୍ଷ୍ନୌ: ବିବାହର ପ୍ରଥମ ଦିନରେ ସାମନାକୁ ଆସିଲା ସ୍ତ୍ରୀର ଅସଲ ସତ । ନବବଧୂ ଜଣଙ୍କ ମହିଳା ନୁହେଁ, ବରଂ ତୃତୀୟ ଲିଙ୍ଗ ବୋଲି ଜାଣିବାକୁ ପାଇଛନ୍ତି ସ୍ବାମୀ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏତ୍ମାଦୌଲା ଅଞ୍ଚଳରେ । ସୂଚନା ଅନୁସାରେ, 7 ବର୍ଷ ପୂର୍ବେ ଅର୍ଥାତ୍ 27 ଜାନୁଆରୀ 2016ରେ ସେହି ଗାଁର ଜଣେ ଯୁବକଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ବିବାହ ସମ୍ପନ୍ନ ହୋଇଥିବାବେଳେ ପରମ୍ପରା ଅନୁସାରେ ବିବାହର ପର ଦିନ କନ୍ୟା ଜଣକ ଶାଶୁ ଘରେ ପହଞ୍ଚିଥିଲେ । ନବବଧୂଙ୍କ ଆସିବା ପରେ ପରମ୍ପରା ମୁତାବକ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ପରିବାର ଲୋକେ ଏହି ବିବାହକୁ ନେଇ ବେଶ ଖୁସି ମଧ୍ୟ ଥିଲେ।
ଏହାପରେ ବର କନ୍ୟାଙ୍କୁ ସେମାନଙ୍କ ରୁମକୁ ପଠାଇ ସମସ୍ତ ଅତିଥି ଏବଂ ପରିବାର ଲୋକେ ଶୋଇଯାଇଥିଲେ । ହେଲେ ଏହାପରେ ଘଟିଥିଲା ଅଦ୍ଭୁତ ଘଟଣା । ନବବଧୂ ଜଣଙ୍କ ମହିଳା ନୁହେଁ ବରଂ ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲା ବର । ଆଉ ତାପରେ ବରର ସବୁ ଖୁସି ଯେମିତି ପାଣି ଫୋଟକା ପରି ମିଳାଇ ଯାଇଥିଲା । ନିଜ ସହ ଏବଂ ପରିବାର ସହ କନ୍ୟା ଘର ପକ୍ଷରୁ ଧୋକ୍କା ଦିଆଯାଇଥିବା ଜାଣି ମଧ୍ୟ ଚୁପ୍ ରହିବାକୁ ପଡିଥିଲା । କାରଣ ଲୋକ ଲଜ୍ଜାର ଭୟରେ କାହାକୁ କିଛି କହିପାରିନଥିଲେ ନବ ବିବାହିତ ସ୍ବାମୀ ଜଣକ।
ଏପରିକି ପତ୍ନୀଙ୍କର ଡାକ୍ତରୀ ଚିକିତ୍ସା ମଧ୍ୟ କରିବାକୁ ସେ ଚେଷ୍ଟା କରିଥିଲେ । ହେଲେ 7 ବର୍ଷ ଧରି ଚିକିତ୍ସା କଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ଏନେଇ ଫ୍ୟାମିଲି କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ମାମଲାର ଶୁଣାଣି କରି ଏହି ବିବାହକୁ ଅଗ୍ରାହ୍ୟ ବୋଲି ଦର୍ଶାଇଛନ୍ତି ନ୍ୟାୟାଳୟ । ଯୁବକଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିବା ଜଣାପଡିଛି । ତେବେ ସମାଜରେ ଏପରି ଅନେକ ଘଟଣାର ନଜିର ରହିଛି । ତୃତୀୟ ଲିଙ୍ଗ ହୋଇଥିଲେ ସୁଦ୍ଧା ବିନା କୌଣସି ସୂଚନାରେ ବିବାହ ସମ୍ପନ୍ନ କରାଯାଉଛି । ଆଉ ପରେ ସତ ଜଣାପଡିଲା ପରେ ଦାମ୍ପତ୍ୟ ଜୀବନରେ ଦେଖାଦେଉଛି ଫାଟ । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବଡ ଧରଣ ବିବାଦର ରୂପ ନେଉଛି ।
ଖାଲି ସେତିକି ନୁହେଁ, ଏପରି ଘଟଣା ଯୋଗୁ ଅନେକ ସମୟରେ ଅପରାଧ ବି ଘଟୁଛି । ଅପରପକ୍ଷେ ସମାଜରେ ବର୍ତ୍ତମାନ ତୃତୀୟ ଲିଙ୍ଗ ଅର୍ଥାତ୍ କିନ୍ନରଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ସେମାନଙ୍କୁ ମଧ୍ୟ ସମ୍ମାନର ସହ ବଞ୍ଚିବାକୁ ସମସ୍ତ ଅଧିକାର ଦେଇଛନ୍ତି ସରକାର । ହେଲେ ଏପରି ମିଛ କହି ସମ୍ପର୍କ ଗଢିବା ଘଟଣା ମହଙ୍ଗା ପଡିଥିବାର ନଜିର ରହିଛି ।