ଲକ୍ଷ୍ନୌ: ବିନା କନ୍ୟାରେ ଘରକୁ ଫେରିଲା ବର । ବରଯାତ୍ରୀରେ ଅଧିକ ଲୋକ ଯାଇଥିବାରୁ ବିବାହ କରିବାକୁ ମନା କଲା କନ୍ୟା । ଏହାପରେ ବର ପକ୍ଷ ସହ କନ୍ୟା ପକ୍ଷଙ୍କ ବିବାଦ ଦେଖିବାକୁ ମିଳିଥିଲା । ତେବେ ପରିବାର ଲୋକେ କନ୍ୟାକୁ ବିବାହ ପାଇଁ ବୁଝାସୁଝା କରିବେ ସତ୍ତ୍ବେ କନ୍ୟା ଏଥିପାଇଁ ମନା କରିଦେଲା । ଫଳରେ ବରଯାତ୍ରୀ ବିନା କନ୍ୟାରେ ଘରକୁ ଫେରିଗଲେ । ଏଭଳି ଘଟଣା ଉତ୍ତରପ୍ରଦେଶର ବିଳସଣ୍ଡା ଥାନା ଅଞ୍ଚଳରେ ଘଟିଛି ।
ବିଳସଣ୍ଡା ଅଞ୍ଚଳର ଆସାରାମଙ୍କ ଝିଅ କମଳା ଦେବୀର ବିବାହ ଶାହଜାଗାଙ୍ଗପୁର ଅଞ୍ଚଳବାସୀ ମୁକେଶ କୁମାରଙ୍କ ସହ ଠିକ୍ ହୋଇଥିଲା । ଏହି ବିବାହ ପୂର୍ବରୁ କୋରୋନା ଗାଇଡଲାଇନକୁ ଅନୁସରଣ କରିବା କଥା ମଧ୍ୟ ଉଭୟ ପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ବରଯାତ୍ରୀରେ 50 ଜଣଙ୍କୁ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ମୁକେଶ କୁମାର ବରଯାତ୍ରୀରେ 200 ଲୋକଙ୍କୁ ସାଙ୍ଗରେ ନେଇ ବିବାହ କରିବାକୁ ପହଞ୍ଚିଥିଲେ । ଏହି କଥାକୁ ନେଇ କନ୍ୟାର ପିତା ଆସାରାମ କ୍ରୋଧିତ ହୋଇଥିଲେ ନିଶ୍ଚୟ, କିନ୍ତୁ ବରଯାତ୍ରୀଙ୍କୁ ଅତିଥି ସତ୍କାରରେ କୌଣସି ଅଭାବ ରଖିନଥିଲେ । ନିଜ ଝିଅ ପାଇଁ ଆସାରାମ ବରଯାତ୍ରୀଙ୍କୁ ସମ୍ମାନର ସହ ଅତିଥି ଚର୍ଚ୍ଚା କରିଥିଲେ ।
ଏତେ ସବୁ ହେବା ପରେ ମଧ୍ୟ ବରଯାତ୍ରୀରେ ଆସିଥିବା ଲୋକେ ମଦ୍ୟପାନ କରି କନ୍ୟା ପିତା ଏବଂ ପରିବାର ସହ ମାରପିଟ କରିଥିଲେ । ଯେଉଁଥିପାଇଁ କନ୍ୟା କମଳାଦେବୀ ବିବାହ କରିବାକୁ ମନା କରିଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ