ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଲଢେଇ ବୋଲି କହିଛି । ରାଜ୍ୟରେ ଫଳାଫଳ ଏହା ପ୍ରମାଣିତ କରିଛି ଯେ, ମୋଦି ମ୍ୟାଜିକ ଫେଲ ମାରିଛି ଓ ବ୍ରାଣ୍ଡ ରାହୁଲ ସଫଳ ହୋଇଛି ବୋଲି କହିଛି କଂଗ୍ରେସ । ଦଳର ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନାତେ କହିଛନ୍ତି, ରାଜ୍ୟରେ ଜନାଦେଶ ଏହା ପ୍ରମାଣିତ କରିଛି ଯେ, ମୋଦି ମ୍ୟାଜିକ ଫେଲ୍ ମାରିଛି । ଯଦି କେହି ଭାବୁଥାନ୍ତି ଆଗକୁ ହେବାକୁ ଥିବା ନିର୍ବାଚନରେ ମୋଦି ମ୍ୟାଜିକ୍ କାମ କରିବ ଓ ସେମାନେ ନିର୍ବାଚନ ଜିତିବେ, ତାହା ଭୁଲ । ଆଗକୁ ସେପରି ହେବାକୁ ଯାଉନାହିଁ । କର୍ଣ୍ଣାଟକ ଫଳାଫଳରେ ରାହୁଲ ଗାନ୍ଧୀଙ୍କ ଷ୍ଟ୍ରାଇକ ରେଟ ପ୍ରାୟ 80 ପ୍ରତିଶତ ରହିଛି । ତାଙ୍କ ତୂଳନାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କର ମାତ୍ର 40 ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ଯେ, ‘ମୋଦି ମ୍ୟାଜିକ୍’କୁ ‘ବ୍ରାଣ୍ଡ ରାହୁଲ’ ପରାସ୍ତ କରିଛି ବୋଲି ସୁପ୍ରିୟା କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, "କର୍ଣ୍ଣାଟକ ଫଳାଫଳ ଅତି ଗୁରୁତ୍ବପୂର୍ଣ୍ଣ । କାରଣ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶେଷ ହେବା ଓ ତାଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି ।ରାହୁଲ ତାଙ୍କ ଭାରତ ଯୋଡୋ ଯାତ୍ରାରେ କର୍ଣ୍ଣାଟକରେ ମୋଟ 51 ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ସେଥିମଧ୍ୟରୁ ବିଜେପି ମାତ୍ର 4ଟାରେ ବିଜୟ ଲାଭ କରିବାରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବ୍ୟାପୀ ଦଳ ପାଇଁ ପ୍ରଚାର କଲେ, ହେଲେ ଦଳ ଗତଥର ଅପେକ୍ଷା 25 ସିଟ୍ରେ ପରାଜିତ ହେଲା । ଏହି ଫଳାଫଳରୁ ସ୍ପଷ୍ଟ ଯେ, ମୋଦିଙ୍କଠାରୁ ରାହୁଲଙ୍କ ପ୍ରତି ରାଜ୍ୟରେ ଜନ ସମର୍ଥନ ବଢିବାରେ ଲାଗିଛି । କର୍ଣ୍ଣାଟକବାସୀ ଏହ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ ସହ ରହିଛନ୍ତି । ଯେଉଁ ଏକଛତ୍ରବାଦୀ ମାନେ ଭାବୁଛନ୍ତି, ସେମାନେ ଅତି ସହଜରେ କାହାର ସଦସ୍ୟତା ରଦ୍ଦ କରିପାରିବେ, ଲୋକେ ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି ।"
"ଫଳାଫଳରେ କର୍ଣ୍ଣାଟକବାସୀ ଏହା ମଧ୍ୟ ବାର୍ତ୍ତା ଦେଇଛନ୍ତି ଯେ, ସେମାନଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ପ୍ରସଙ୍ଗ ଉପରେ କହୁଥିବା ରାଜନୈତିକ ଦଳକୁ ସେମାନେ ପସନ୍ଦ କରନ୍ତି । ଶିକ୍ଷା ଓ ରୋଜଗାର ପରି ପ୍ରମୁଖ ତଥା ସାଧାରଣ ପ୍ରସଙ୍ଗକୁ ସେମାନେ ନିର୍ବାଚନୀ ମୁଦ୍ଦା ଭାବେ ଦେଖିବାକୁ ଚାହାନ୍ତି । ଯେଉଁ ଦଳ ସେମାନଙ୍କ ସମସ୍ୟାର କଥା କହିବ ସେମାନେ ତାକୁ ଭୋଟ ଦେବେ ଏହା କର୍ଣ୍ଣାଟକ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି । ଏହି ଫଳାଫଳ କେବଳ ଟ୍ରେଲର ସଦୃଶ୍ୟ । ଆଗକୁ ପୁରା ଫିଲ୍ମ ବାକି ଅଛି । ଆଗକୁ ହେବାକୁ ଥିବା ରାଜସ୍ଥାନ, ମିଜୋରାମ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଏପରିକି 2024 ସାଧାରଣ ନିର୍ବାଚନରେ ମଧ୍ୟ ଏହି ଫଳାଫଳର ଧାରା ଦୋହରାଇବାକୁ ଯାଉଛି କଂଗ୍ରେସ", କହିଛନ୍ତି ସୁପ୍ରିୟା ।
ଗତବର୍ଷ ସେପ୍ଟେମ୍ବରରୁ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ବାହାର କରିଥିଲେ । ଗତବର୍ଷ ସେପ୍ଟେମ୍ବରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଚଳିତ ବର୍ଷ ଜାନୁଆରୀରେ ଶେଷ ହୋଇଥିଲା । ପ୍ରାୟ 4 ହଜାର କି.ମି ପଦଯାତ୍ରା କରିବା ପରେ କାର୍ଯ୍ୟକ୍ରମ ଶେଷ କରି ରାହୁଲ ଲଣ୍ଡନ ଗସ୍ତ କରିଥିଲେ । ସେଠାରେ ସେ ଏକାଧିକ ବିବାଦୀୟ ମନ୍ତବ୍ୟ ମାମଲାରେ ମଧ୍ୟ ଛନ୍ଦି ହୋଇପଡିଥିଲେ । ଏହା ପରେ ତାଙ୍କ ବିରୋଧରେ ଥିବା 2019ର ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ 2 ବର୍ଷ ପାଇଁ ଦଣ୍ଡିତ ହୋଇଥିଲେ । ଦଣ୍ଡାଦେଶ ପାଇବା ପରେ ସେ ସଭ୍ୟପଦ ହରାଇବା ସହ ସରକାରୀ ବଙ୍ଗଳା ମଧ୍ୟ ଛାଡିଥିଲେ । ହେଲେ ଏବେ କର୍ଣ୍ଣାଟକରେ ଦଳର ଐତିହାସିକ ବିଜୟ ପରେ ଏହା ରାହୁଲଙ୍କ ଭାବମୂର୍ତ୍ତିକୁ ଦଳ ବ୍ରାଣ୍ଡ ଭାବେ ସାମ୍ନାକୁ ଆଣିଲାଣି । ଏହି ଐତିହାସିକ ଫଳାଫଳ ଭାରତ ଯୋଡ଼ ଯାତ୍ରାର ପ୍ରଭାବ ବୋଲି ଦଳ କହିଛି । ଏପରିକି ‘ବ୍ରାଣ୍ଡ ରାହୁଲ’ ‘ମୋଦି ମ୍ୟାଜିକ’ ଉପରେ ଭାରି ପଡିଛି ବୋଲି କହିଛି କଂଗ୍ରେସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ