ନୂଆଦିଲ୍ଲୀ: ମହାମାରୀ କୋରୋନାର ଭୟାବହତା ମଧ୍ୟରେ CBSE ପରୀକ୍ଷାକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି । ସିବିଏସଇ ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଦଶମ ପରୀକ୍ଷା ହୋଇଛି ବାତିଲ । ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏଥିରେ ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
4 ମେରୁ 14 ଜୁନ ପର୍ଯ୍ୟନ୍ତ ହେବାକୁଥିବା ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି । ତେବେ ଜୁନ 1ରେ ଆଉ ଏକ ବୈଠକ ହେବ । ଏଥିରେ ପରିସ୍ଥିତିକୁ ଦେଖି ଆଗାମୀ ନିଷ୍ପତ୍ତି ନିଆଯିବ । ଯଦି ପରୀକ୍ଷା ହେବ, ତାହେଲେ 15 ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସୂଚୀତ କରାଯିବ ବୋଲି କୁହାଯାଇଛି ।
ସେହିପରି ମେ 4ରୁ 14 ଜୁନ ଯାଏଁ ହେବାର ଥିଲା ଦଶମ ବୋର୍ଡ ପରୀକ୍ଷା । ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରିଦିଆଯାଇଛି । ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟଦକ୍ଷତା ଆଧାରରେ ନମ୍ବର ଦିଆଯିବ । ଯଦି କୌଣସି ଛାତ୍ରଛାତ୍ରୀ ନିଜ ନମ୍ବରରେ ଖୁସି ହେବେନାହିଁ, ସେମାନଙ୍କୁ ପରେ ପରୀକ୍ଷା ପାଇଁ ସୁଯୋଗ ମିଳିବ ।
ଅବଜେକ୍ଟିଭ ମାର୍କ ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ଫଳାଫଳ ଘୋଷଣା କରାଯିବ । ପରବର୍ତ୍ତୀ ସମୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯିବ । କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସିବିଏସଇ ପରୀକ୍ଷା ହେବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।
ସୂଚନା ଅନୁଯାୟୀ, ଅଧିକାରୀଙ୍କ ପକ୍ଷରୁ ଦଶମ ଓ ଦ୍ବାଦଶ ଉଭୟ ପରୀକ୍ଷା ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ପିଏମ ମୋଦି କହିଛନ୍ତି, କୋରୋନା କାରଣରୁ ଛାତ୍ରଛାତ୍ରୀଙ୍କୁ ଅନେକ କ୍ଷତି ହୋଇଛି । ଏଭଳିସ୍ଥିତିରେ ଦଶମ ପରୀକ୍ଷା ବାତିଲ କରାଯିବା ସହିତ ଦ୍ବାଦଶ ପରୀକ୍ଷା ଘୁଞ୍ଚାଇ ଦିଆଯିବ ।
ସିବିଏସଇ ପରୀକ୍ଷା ନେଇ ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଆସିଛି । ବୈଠକରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଶିକ୍ଷା ସଚିବ ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ଅଧିକାରୀ ଉପସ୍ଥିତ ରହିଥିଲେ । ଆଗରୁ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।
@ANI