କୋଲକାତା: ବାହୁବଳ କି ଟଙ୍କା ବଳ ନୁହେଁ ଜିତିଲା ମନୋବଳ । ଦିନମଜୁରିଆଙ୍କ ସ୍ତ୍ରୀ ହେଲେ ବିଧାୟକ ! ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ସାଲତୋରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ 30 ବର୍ଷୀୟ ଚନ୍ଦନା ବାଉରୀ ହେଲେ ବିଜୟୀ । ଚନ୍ଦନା ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ରହିଛି ମାତ୍ର 30,311 ଟଙ୍କା । ତାଙ୍କ ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟରରେ ହୋଇଛି ପ୍ରଂଶସାର ବର୍ଷା ।
ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ 4,145 ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଚନ୍ଦନା ବାଉରୀ । ବାଉରୀଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରି ଦୈନିକ 400 ଟଙ୍କା ରୋଜଗାର କରନ୍ତି । ତାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ କି ତାଙ୍କର ପକ୍କା ଘରଟିଏ କି ପାଇଖାନାଟିଏ ବି ନଥିଲା । ଏବେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଟଙ୍କାରେ ଘରଟିଏ କରିବାକୁ ସକ୍ଷମ ହେଉଛନ୍ତି । ସେ କହିଛନ୍ତି କି ତୃଣମୂଳ ଦୁର୍ନୀତିଗ୍ରସ୍ତ ଥିବା ବେଳେ କେନ୍ଦ୍ର ଯୋଜନାର ଟଙ୍କା ଆତ୍ମସାତ ହେଉଥିଲା । ଏଣୁ ସେ ବିଜେପିର ବିକାଶ ମନ୍ତ୍ର ଓ ନିଜ ଦୃଢ ଆଭିମୁଖ୍ୟ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖରେ ପହଞ୍ଚାଇ ଜୟଯୁକ୍ତ ହୋଇଛନ୍ତି ।
ଟିକେଟ ପାଇବା ପରେ ଚନ୍ଦନା କହିଥିଲେ ସେ କଦାପି ଭାବିନଥିଲେ କି ବିଜେପି ଭଳି ଜାତୀୟ ଦଳ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ଏପରିକି ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଭଳି ସୁପରଷ୍ଟାର ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ସ୍ବାମୀଙ୍କ ସହଯୋଗ ଓ ପରିବାରର ପ୍ରେରଣା ସହ ଲୋକଙ୍କ ବିପୁଳ ସମର୍ଥନ ପାଇ ଆଜି ସେ ଖୁସି ବ୍ୟକ୍ତ କରିଛନ୍ତି ।
ଚନ୍ଦନା 2014 ରେ ଭାଜପା କାର୍ଯ୍ୟକର୍ତ୍ତା ଭାବେ ସାଲତୋରାରେ କାମ କରିଆସୁଛନ୍ତି । ସେ 2018 ରେ ପଞ୍ଚାୟତ ନିର୍ବାଚନ ସମୟରେ ଗ୍ରାମ ପଞ୍ଚାୟତ ସଦସ୍ୟ ହୋଇଥିଲେ । ଏହା ପରେ ଚନ୍ଦନା 2019 ରେ ଭାଜପା ବାଙ୍କୁରା ଜିଲ୍ଲାର ସମିତି ସଭ୍ୟ ହୋଇଥିଲେ ।