ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ଭାରତରେ ଝଡ଼ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ବିଜେପି ପକ୍ଷରୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ଆଜି (ଶନିବାର) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ରାଜ୍ୟର ସମସ୍ତ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ସମୟରେ ବିଜେପି କର୍ମୀମାନେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ କୁଶପୁତ୍ତଳିକା ଦାହ କରାଯିବ ।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିଥିଲେ । ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ବିଲାୱଲ ଭୁଟ୍ଟୋ ଏଭଳି ବୟାନ ପରେ ବିବାଦ ସୃଷ୍ଟି ହୋଇଛି । ମୋଦିଙ୍କ ବିରୋଧରେ ଏଭଳି ବୟାନକୁ ନେଇ ବିଜେପି କହିଛି," ପାକ୍ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଅପମାନଜନକ ଅଟେ । କ୍ଷମତାରେ ରହିବା ଏବଂ ସରକାରକୁ ବଞ୍ଚାଇବା ଲାଗି ଏହି ବିବୃତ୍ତି ଦିଆଯାଇଛି । ଉକ୍ତ ମନ୍ତବ୍ୟ ବିଶ୍ବକୁ ବିଭ୍ରାନ୍ତ କରୁଛି । ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଏଥିରୁ ଧ୍ୟାନ ହଟେଇବା ପାଇଁ ପାକିସ୍ତାନ ଏହି ପନ୍ଥା ଆପଣାଇଛି ।" ପାକିସ୍ତାନ ଆତଙ୍କୀକୁ ପୋଷୁଛି । ଦେଶରେ ଅରାଜକତା ଭର୍ତ୍ତି ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ମୋଦିଙ୍କ ବିରୁଦ୍ଧରେ ପାକ୍ ବିଦେଶ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ, ନିନ୍ଦା କଲା ଭାରତ
ଏହାରି ମଧ୍ୟରେ ପାକ୍ ମନ୍ତ୍ରୀଙ୍କ ଠାରୁ କଣ ବା ଆଶା କରାଯାଇପାରେ ? ତାଙ୍କ ଚିନ୍ତାଧାରା ମାନସିକ ସ୍ତରରେ ଦେବାଳିଆ ହୋଇଯାଇଛି ବୋଲି ବିଜେପି କହିଛି । ଏହାକୁ ନେଇ ଶୁକ୍ରବାର ବିଜେପି ପକ୍ଷରୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଓ ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରାବାଜି କରିଥିଲେ । ତେବେ ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।