ଡେରାଡୁନ: ଦୀର୍ଘ ଆଠ ମାସ ହେବ କୋରୋନା ବିଶ୍ବରେ କାୟା ବିସ୍ତାର କରିଛି । ଅନେକ ଜୀବନ ନେଲାଣି କିଲର ଭାଇରସ । ଉତ୍ତରାଖଣ୍ଡର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଜିନାଙ୍କର ମଧ୍ୟ କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 50 ବର୍ଷ ହୋଇଥିଲା ।
କିଛି ଦିନ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ଆଲମୋରା ଜିଲ୍ଲା ସଲ୍ଟ ନିର୍ବାଚନମଣ୍ଡଳୀରେ ବିଧାୟକ ଥିଲେ ।
ତାଙ୍କ ବିୟୋଗରେ ବିଜେପି ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ସଭାପତି ବଂଶୀଧର ଭଗତ କହିଛନ୍ତି ଜୀନା ଜଣେ ଦକ୍ଷ, ଶକ୍ତିଶାଳୀ ବ୍ୟକ୍ତିତ୍ବ ଥିଲେ । ସେ ଆହୁରି କହିଛନ୍ତି ସଂଗଠନରେ ସର୍ବଦା ସକ୍ରିୟ ବ୍ୟକ୍ତି ଭାବରେ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ ସୁରେନ୍ଦ୍ର ।
ତେବେ ତାଙ୍କର ଅକାଳ ବିୟୋଗରେ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଦଳ ତାଙ୍କ ପରିବାର ସହିତ ଅଛି ବୋଲି କହିଛନ୍ତି ବିଜେପି ସଭାପତି ବଂଶୀଧର ଭଗତ । କିଛି ଦିନ ପୂର୍ବରୁ ହୃଦଘାତରେ ସୁରେନ୍ଦ୍ରଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ