ଗୌହାଟୀ: ଆସାମରେ ବିଜେପି ନେତ୍ରୀଙ୍କୁ ହତ୍ୟା । ରାସ୍ତାକଡରୁ ଉଦ୍ଧାର ହେଲା ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ବିଜେପି ନେତ୍ରୀ ଜୋନାଲି ନାଥ । ସେ ଗୋଲପାରା ଜିଲ୍ଲାର ବାସିନ୍ଦା । ରବିବାର ବିଳମ୍ବିତ ରାତିରେ କୃଷ୍ଣାଇର ଶାଲପାରା ଅଞ୍ଚଳରେ ଥିବା ଏନଏଚ 17ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବିଜେପି ନେତ୍ରୀଙ୍କୁ ହତ୍ୟା ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।
ଜୋନାଲି ନାଥଙ୍କୁ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ବ୍ୟକ୍ତି ହେଉଛନ୍ତି ରେଜୁଲ କରିମ । ଗତ ରବିବାର ସନ୍ଧ୍ୟାରେ ରେଜୁଲ କରିମ ବିଜେପି ନେତ୍ରୀ ଜୋନାଲି ନାଥଙ୍କୁ ମାଟିଆର ଏକ ହୋଟେଲରେ ଭେଟିଥିଲେ । ତେଣୁ ରାଜନୈତିକ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ଭାବେ ଜୋନାଲି ନାଥଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ମାତ୍ର 100 ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ: ସୁରଟରେ ଓଡିଆ ଯୁବକଙ୍କୁ ହତ୍ୟା
ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଜୋନାଲି ଓ ରେଜୁଲଙ୍କ ମଧ୍ୟରେ ଆର୍ଥିକ କାରବାର ହୋଇଥିଲା । ତେବେ ଆର୍ଥିକ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଅନ୍ୟ କାରଣ ରହିଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ଗଣମାଧ୍ୟମ ସମ୍ମୁଖରେ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହିଁ । ଅଟକ ଥିବା ରେଜୁଲ କରିମକୁ ପୋଲିସ ପଚରାଉଚରା କରୁଛି । ତେବେ ବିଜେପି ନେତ୍ରୀ ଜୋନାଲି ନାଥଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ପୋଲିସର ତଦନ୍ତ ପରେ ତାହା ଜଣାପଡିବ ।
ଏହା ମଧ୍ୟ ପଢନ୍ତୁ-ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ! ପୋଲିସର ତନାଘନା
ମୃତ ଜୋନାଲି ନାଥ ବିଜେପିର ଜିଲ୍ଲା ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ସେ ଗୋଲପାରା ଜିଲ୍ଲାର ମାଟିରେ ରହୁଥିଲେ । ଜୋନାଲିଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଘଟଣାରେ ତଦନ୍ତକୁ ଜୋରଦାର କରାଯାଇ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ଜୋନାଲିଙ୍କ ପୂର୍ବରୁ କାହା ସହ ଶତ୍ରୁତା ଥିଲା ନା ନାହିଁ ସେନେଇ ମଧ୍ୟ ପୋଲିସ ଯାଞ୍ଚ କରିବ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତନାଘନା ଜାରି ରଖିଛି । ଅଟକ ଥିବା ବ୍ୟକ୍ତି ଠାରୁ ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ତଦନ୍ତକୁ ଆଗକୁ ନେବ । ବିଜେପି ନେତ୍ରୀଙ୍କୁ ହତ୍ୟା ପଛରେ କାହାର ହାତ ରହିଛି ଓ କିଏ କିଏ ଏଥିରେ ସାମିଲ ଅଛନ୍ତି ତାହା ଖୁବଶୀଘ୍ର ସାମ୍ନାକୁ ଆସିବ ।