ପାଟନା: ନିର୍ବାଚନୀ ରାଜନୀତିରେ ପୂନର୍ବାର ଏଣ୍ଟ୍ରି ମାରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ ହୁସେନ । ବିହାର ବିଧାନ ପରିଷଦ ନିର୍ବାଚନ ପାଇଁ ଶାହନୱାଜଙ୍କୁ ପ୍ରାର୍ଥୀ କରିଛି ବିଜେପି । 2014 ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ପରେ ଏହା ପ୍ରଥମ ସୁଯୋଗ ଯେବେ ଶାହନୱାଜ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।
2014ରେ ଶାହନୱାଜ ହୁସେନ ଭାଗଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ହାରିଯାଇଥିଲେ । ତେବେ 2019 ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ଟିକଟ ମିଳିନଥିଲା । ଶାହନୱାଜ ହୁସେନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ନାଗରିକ ଉନ୍ନୟନ ମନ୍ତ୍ରୀ ରହିଥିଲେ ।
ହୁସେନଙ୍କୁ ବିହାରରୁ ପ୍ରାର୍ଥୀ କରିବା ସହିତ ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି 6 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିମଧ୍ୟରେ କୁୱଁର ମାନଭେନ୍ଦ୍ର ସିଂ, ଗୋବିନ୍ଦ ନାରାୟଣ ଶୁକ୍ଲା, ସଲିଲ ବିଷ୍ଣୁ, ଅଶ୍ୱିନୀ ତ୍ୟାଗି, ଧର୍ମବୀର ପ୍ରଜାପତି ଏବଂ ସୁରେନ୍ଦ୍ର ଚୌଧୁରୀଙ୍କ ନାଁ ସାମିଲ ରହିଛି ।
ରାଜ୍ୟର 12ଟି ବିଧାନ ପରିଷଦ ଆସନ ପାଇଁ ଜାନୁଆରୀ 28ରେ ମତଦାନ ଅନୁଷ୍ଠିତ ହେବ ଏବଂ ନାମାଙ୍କନପତ୍ର ଦାଖଲ କରିବାର ଜାନୁଆରୀ 18 ହେଉଛି ଶେଷ ତାରିଖ। ଏହି 12ଟି ଆସନରେ ବର୍ତ୍ତମାନର ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଜାନୁଆରୀ 30ରେ ଶେଷ ହେବାକୁ ଯାଉଛି ।