କୋଲକାତା: ଆଉ କିଛି ଦିନ ପରେ ଦୁର୍ଗାପୂଜା । ମଣ୍ଡପରେ ପୂଜା ପାଇବେ ମା ଦୁର୍ଗା । କିନ୍ତୁ ମାଙ୍କ ମୁହଁରେ ପ୍ରତିଫଳିତ ହେବ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ। ପଶ୍ଚିମବଙ୍ଗର କିଛି ଦୁର୍ଗାପୂଜା ମଣ୍ଡପରେ ମାଙ୍କର ମୁର୍ଣ୍ଣୟୀ ମୂର୍ତ୍ତିର ରୂପ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଆକୃତି ସଦୃଶ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର କିଛି ପୂଜା କମିଟି ଏପରି ଯୋଜନା ରଖିଥିବା ମଧ୍ୟ ନିଜେ ଘୋଷଣା କରିସାରିଛନ୍ତି । ତେବେ ଏପରି ପ୍ରସ୍ତୁତି ଆରମ୍ଭ ହୋଇସାରିଥିବାବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି ।
ଗତକାଲି ଗଣେଶ ଚତୁର୍ଥୀ ଥିବାବେଳେ ଉତ୍ତର ବଙ୍ଗଳାର ମାଲଦା ଜିଲ୍ଲାର ହରିଚନ୍ଦ୍ରପୁରରେ ଗଣେଶ ପୂଜା କମିଟି ମମତା ବାନାର୍ଜୀଙ୍କ ପରି ଏକ ଦୁର୍ଗା ମୂର୍ତ୍ତିକୁ ଚିତ୍ରିତ କରିଖିଲା। ସେଠାରେ ଥିବା ଦୁର୍ଗା ମୂର୍ତ୍ତି ଭଗବାନ ଗଣେଶଙ୍କ ପ୍ରତିମାକୁ ନିଜ କୋଳରେ ଧରିଛନ୍ତି । ଯଦିଓ ଲୋକମାନେ ଏହି ନୂତନ ଯୋଜନାକୁ ନେଇ ଉତ୍ସାହିତ ଅଛନ୍ତି, ତଥାପି ଧାର୍ମିକ ମାମଲାରେ ରାଜନୀତିକରଣକୁ ନେଇ ଏପରି ଆୟୋଜନକୁ ନେଇ ବିରୋଧାଭାଷ ଓ ବୟାନବାଜି ମଧ୍ୟ ଆରମ୍ଭ ହୋଇ ସାରିଛି । ମାଲଦା ଅଞ୍ଚଳର ଏକ ପୂଜା କମିଟି ଜାଗରଣ ସଂଗଠନ ଦ୍ବାରା ଆୟୋଜିତ ପୂଜାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିରେ କେବଳ ମୁଖ୍ୟମନ୍ତ୍ରୀ ମମତାଙ୍କ ମୁହଁ ନୁହେଁ ବରଂ ଧଳା ଏବଂ ନୀଳ ରଙ୍ଗର କପଡା ମଧ୍ୟ ବ୍ୟବହାର କରାଯାଇଛି । ଯାହା TMCଦଳୀୟ ରଙ୍ଗ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
୧୦ ହାତ ବିଶିଷ୍ଟ ମାଙ୍କର ମୂର୍ତ୍ତିରେ ଦୁଇ ହାତରେ ମା ନିଜ କୋଳରେ ଭଗବାନ ଗଣେଶଙ୍କ ପ୍ରତିମା ଧରିଥିବାବେଳେ ଅନ୍ୟ ୮ ହାତରେ ପଶ୍ଚିମବଙ୍ଗର ମମତା ସରକାରଙ୍କର ବିଭିନ୍ନ ସରକାରୀ ଯୋଜନାକୁ ସ୍ଥାନିତ କରିଛି ପୂଜା କମିଟି । ଗତକାଲି (ଶୁକ୍ରବାର) ଦିନ ଏହି ପୂଜା କମିଟିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ତୃଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବଜିତ ମଣ୍ଡଳ ଏବଂ ଦଳର ମାଲଦା ଜିଲ୍ଲା ସଭାପତି ଜମ୍ମୁ ରହମାନ ଉପସ୍ଥିତ ଥିଲେ । ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମଧ୍ୟ କହିଛନ୍ତି ଯେ ପ୍ରଥମ ଥର ପାଇଁ କମିଟି କ୍ଲବ ଗଣେଶ ପୂଜା ଆୟୋଜନ କରୁଛି। ଗୋଟିଏ ମନ୍ଦ ଶକ୍ତି ବଙ୍ଗଳାକୁ କାବୁ କରିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ମମତା ସେହି ମନ୍ଦ ଶକ୍ତି କବଳରୁ ରାଜ୍ୟକୁ ରକ୍ଷା କରିଛନ୍ତି ।
ଅନ୍ୟ ପଟେ ଜଣେ ରାଜନେତ୍ରୀଙ୍କୁ ଦେବୀଙ୍କ ସହ ତୁଳନା କରିବା ପ୍ରସଙ୍ଗରେ ମତ ରଖି TMCକୁ କଡା ସମାଲୋଚନା କରିଛି BJP । ଦଳ କହିଛି ମମତା ତାଙ୍କ ଦଳ ପାଇଁ ମାଙ୍କ ସ୍ଥାନ ନେଇପାରନ୍ତି, କିନ୍ତୁ ଏପରି ମାନସିକତା ସାଧାରଣାରେ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ମାଲଦା ଜିଲ୍ଲା ବିଜେପି ସଭାପତି କିଷାନ କେଡିଆ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ