କୋଲକାତା: ପଶ୍ଚିମବଙ୍ଗ ବିଜେପିରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ନେଇ କ୍ଷୁବ୍ଧ ହୋଇଛନ୍ତି କେନ୍ଦ୍ରୀୟ ନେତୃତ୍ବ । ଗତ କିଛି ଦିନ ଧରି ଦଳ ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ ବିବାଦକୁ ତୁରନ୍ତ ସମାଧାନ କରିବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ମଧ୍ୟ ମିଳିଛି । ବିଶେଷକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ସମସ୍ୟାର ସମ୍ପୂର୍ଣ୍ଣ ଅନ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ ବିଜେପିକୁ ଶକ୍ତ ନିର୍ଦ୍ଦେଶ ଦେଇଥିବା ଦଳ ସୂତ୍ରରୁ ସୂଚନା ମିଳିଛି ।
ଅନ୍ଯପଟେ ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ଆଗାମୀ ଗୋଟିଏ କି ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଯିବା ପାଇଁ ସମନ ଜାରି କରିଛି ଦଳ । ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ସହ ଦିଲ୍ଲୀପଙ୍କର ମତାନ୍ତର ଲାଗି ରହିଛି । ଦିଲ୍ଲୀପ ସୁକାନ୍ତଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଘଟଣା ଆହୁରି ବିବାଦୀୟ ହୋଇଛି ।
ପ୍ରଦେଶ ବିଜେପିରେ ବରିଷ୍ଠ ଓ ଯୁବନେତାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାହିଁକି ବାରମ୍ବାର ପବ୍ଲିକ ଓ ମିଡିଆରେ ଲିକ ହେଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଦୀର୍ଘ ଅଭିଜ୍ଞତା ଥିବା ସତ୍ତ୍ବେ ମଧ୍ୟ ସୟାନତନ ବାସୁ, ରାଜୁ ବାନାର୍ଜୀ, ପ୍ରତାପ ବାନାର୍ଜୀଙ୍କ ପରି ନେତାଙ୍କୁ ସଂଗଠନରେ ଦାୟିତ୍ବ ମିଳୁନି । ଏସବୁ ପାଇଁ ବର୍ତ୍ତମାନର ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କ ଭୂମିକାକୁ ସନ୍ଦେହ କରାଯାଉଛି । ଦଳରେ ଏପରି କିଛି ସ୍ଥିତିକୁ ନେଇ ବରିଷ୍ଠ ନେତା ତଥା କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ଦିଲ୍ଲୀପ ଘୋଷ ସୁକାନ୍ତ ମଜୁମଦାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।
ଅନ୍ୟପଟେ ଜାରି ରହିଥିବା ବିବାଦ ମଧ୍ୟରେ ବିଶୃଙ୍ଖଳିତ ନେତାଙ୍କୁ ଲଗାମ ଲଗାଇବା ପାଇଁ ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ମଧ୍ୟ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଦଳରେ ଥିବା ଅସନ୍ତୋଷ ଓ ସମସ୍ୟା ନେଇ ଦଳୀୟ ଫୋରମରେ ଅବଗତ କରିବା ଓ ଗଣମାଧ୍ୟମରେ ଏ ସମ୍ପର୍କିତ ବିବୃତ୍ତି ନରଖିବା ପାଇଁ ସମସ୍ତ ନେତାଙ୍କୁ ହ୍ବିପ ଜାରି କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ