ହାଇଦ୍ରାବାଦ: ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ ଆସିବା ପରେ 15ବର୍ଷର କ୍ଷମତାରୁ ବେଦଖଲ ହୋଇଛି ଭାରତୀୟ ଜନତା ପାର୍ଟି (BJP calls meeting after MCD result) । ଆଜି ଫଳାଫଳ ଆସିବା ପରେ ବିଜୟୀ କାଉନସିଲରଙ୍କ ବୈଠକ ଡାକିଛି ଦଳ । ଦିଲ୍ଲୀ ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ସଂଧ୍ୟାରେ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଏପଟେ ପରାଜୟ ନେଇ ଦଳ ସମୀକ୍ଷା କରିବ ବୋଲି ସୂଚନା ମିଳିଛି ।
ମୋଟ 250 ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି ମୋଟ 134 ଆସନ ହାତେଇବାରେ ସଫଳ ହୋଇଛି । ଗତ 15ବର୍ଷ ଧରି ଦିଲ୍ଲୀ ନଗର ନିଗମକୁ ଦଖଲରେ ରଖି ଆସିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମାତ୍ର 104ଟି ଆସନରେ ବିଜୟୀ ହୋଇ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି କଂଗ୍ରେସ ମାତ୍ର 9ଟି ଆସନରେ ସୀମିତ ରହିଛି । ଫଳାଫଳ ସ୍ପଷ୍ଟ ହେବା ପରେ ଆଜି ସମସ୍ତ କାଉନସିଲରଙ୍କୁ ବୈଠକ ପାଇଁ ଡାକିଛି ବିଜେପି ।
ଚଳିତ ନିର୍ବାଚନରେ ମୋଟ 1,349 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ନିର୍ବାଚନରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ AAPକୁ ବହୁମତ ମିଳିବା ନେଇ ଏକାଧିକ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ପୂର୍ବାକଳନ ପ୍ରକାଶ ପାଇଥିଲା । ରାଜ୍ୟରେ ପ୍ରୋ-କମ୍ବେନ୍ସି ସ୍ଥିତି ନଥିବାରୁ ବିଜେପି ପରିବର୍ତ୍ତେ ଆପକୁ ଅଧିକ ଆସନ ମିଳିବା ନେଇ ବୁଥ ବାହୁଡା ସର୍ଭେରେ ପ୍ରକାଶ ପାଇଥିଲା । ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ବହୁମତ ପରେ ସମସ୍ତ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆପ ମୁଖ୍ୟ କେଜ୍ରିଓ୍ବାଲ । ଦିଲ୍ଲୀର ବିକାଶ ପାଇଁ ସେ ବିଜେପି ଓ କଂଗ୍ରେସ ସହ ମିଶି କାମ କରିବେ ବୋଲି ମଧ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ